ସତ୍ୟଶିଖା(ଭୁବନେଶ୍ୱର) ୧୫.୦୪.୨୦୨୧: ଓଏଲଏକ୍ସ ବିଜ୍ଞାପନ ନାଁରେ ମେଲାଇଥିଲେ ଠକେଇ ସାମ୍ରାଜ୍ୟ। ଠକେଇ ସୌଦାଗର ସାଜି ଅର୍ଜନ କରୁଥିଲେ ପୁଳା ପୁଳା ଟଙ୍କା। ଧିରେ ଧିରେ ବଢ଼ିବାକୁ ଲାଗିଲା କଳା ସାମ୍ରାଜ୍ୟର ନେଟୱର୍କ। ଏପରିକି ବେନିୟମ ଭାବେ ଅର୍ଜିତ ଟଙ୍କାର ସିଂହ ଭାଗ ଓଡ଼ିଆ ସିନେମାରେ ଖଟାଇଥିଲେ ଅଭିଯୁକ୍ତ। ତାଙ୍କ ନାଁରେ ଏବେ ସୁଦ୍ଧା ୫୩ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ପରେ କେବଳ ୧୨ ନୂଆ ଠକେଇ ମାମଲା ସାମନାକୁ ଆସିଛି।
ଚାରି ଚାରି ଥର ଗିରଫ ପରେ ବି ନିଜ ପୁରୁଣା ଅଭ୍ୟାସ ଛାଡ଼ି ପାରି ନ ଥିବା ଠକେଇ ସାମ୍ରାଜ୍ୟର ଅଘୋଷିତ ବାଦଶାହ ତୃପ୍ତିରଞ୍ଜନ ଦାସ ଏବେ କମିଶନରେଟ ପୁଲିସ୍ କବଜାରେ । ରାଜଧାନୀବାସୀଙ୍କୁ ଛାଡ଼ି ଦୂରଦୂରାନ୍ତ ଅଞ୍ଚଳବାସୀଙ୍କୁ ନିଜ ଟାର୍ଗେଟ କରୁଥିବା ତୃପ୍ତି ଦାସ କୋଲକାତା ଦେଇ ଖସିଯିବାକୁ ଉଦ୍ୟମ କରି ପୁଲିସ୍ ଜାଲରେ ଧରାପଡିଗଲେ । ତାଙ୍କ ମିଛ ସାମ୍ରାଜ୍ୟର ମାୟା ଜାଲରେ ପଶି ପୁଲିସ୍ କେତେ ସତ ଓଗାଳି ପାରୁଛି ତାହା ସମୟ କହିବ।
ପୁଲିସ୍ ସୂଚନା ଅନୁଯାୟୀ, ଦୂରଦୂରାନ୍ତର ଲୋକଙ୍କୁ କମ୍ ଦାମ୍ରେ ଓଏଲଏକ୍ସ ଗାଡ଼ି ଯୋଗାଇ ଦେବାକୁ କହି ଫସାଉଥିଲେ ତୃପ୍ତି। ଏହାପରେ ସେମାନଙ୍କ ନିକଟରୁ ଲକ୍ଷାଧୀକ ଟଙ୍କା ଲୁଟି ନେଉଥିଲେ। କାହାକୁ ଗାଡ଼ି ଯୋଗାଉଥିବା ବେଳେ କିଛି ଦିନ ପରେ ଫାଇନାନ୍ସ କର୍ମଚାରୀ ତାହାକୁ ଟାଣି ନେଉଥିଲେ। ଆଉ କାହାଠୁ ଟଙ୍କା ନେଇ ଆଉ ଧରା ଦେଉ ନ ଥିଲେ। ଫୋନ୍ କଲେ ମିଳୁଥିଲା ଧମକ।