ଭଙ୍ଗାଯିବ ନାହିଁ ଚନ୍ଦ୍ରଶେଖରଙ୍କ ଘର

ସତ୍ୟଶିଖା( ସମ୍ବଲପୁର )୦୨.୦୪.୨୦୨୨ :  କମଲିବଜାର ଗାୟତ୍ରୀ ମନ୍ଦିର ନିକଟରେ ଥିବା ସ୍ବାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ଘର ଭଙ୍ଗାଯିବ ନାହିଁ। ତାକୁ ଅଧିଗ୍ରହଣ କରି ଏକ ସ୍ମାରକୀ ଭାବେ ବିକଶିତ କରାଯିବ। ଏହି ଘରେ ମହାତ୍ମା ଗାନ୍ଧୀ ରାତ୍ର ରହଣି କରିଥିବାରୁ ସମଲେଇ ପ୍ରକଳ୍ପ ମଧ୍ୟରେ ଏହା ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ପାଲଟିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ଏହି ଗୃହକୁ ଏକ ସ୍ମାରକୀ ଭାବେ ବିକଶିତ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲାପାଳ ସେତେବେଳେ କହିଥିଲେ। ଏହାକୁ ଆଉ ଭଙ୍ଗା ନଯାଇ ଐତିହାସିକ ସ୍ମାରକୀ ଭାବେ ସଂରକ୍ଷିତ ରଖାଯିବ ବୋଲି ଶୁକ୍ରବାର ‘ସମ୍ବାଦ’ ସହ କଥାବାର୍ତ୍ତା ବେଳେ ନିଶ୍ଚିତ କରିଛନ୍ତି। ତେବେ ଉକ୍ତ ଘରେ ରହୁଥିବା ଚନ୍ଦ୍ରଶେଖରଙ୍କ ଦାୟାଦ ମାନଙ୍କୁ ସମଲେଇ ଯୋଜନାର ବିସ୍ଥାପନ ନିୟମ ଅନୁଯାୟୀ ଘର ଛାଡ଼ିବାକୁ ହେବ। ସେମାନଙ୍କଠାରୁ ସରକାର ଏହି କୋଠାକୁ ଅଧିଗ୍ରହଣ କରି‌ବା ପରେ ବିକଶିତ କରିବେ ବୋଲି ଶ୍ରୀ ପରିଡ଼ା ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ, ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଘୁନ୍‌ଘୁଟିପଡ଼ାବାସୀଙ୍କ ବିସ୍ଥାପନ ପ୍ରଶାସନ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ଥିଲାବେଳେ ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି। ବର୍ତ୍ତମାନ ପଡ଼ାର ବିସ୍ଥାପିତ ହେବାକୁ ଥିବା ପ୍ରତି ପରିବାରକୁ ସରକାର ପ୍ରଧାନମନ୍ତ୍ରୀ ଆବାସ ବାବଦ ଅର୍ଥ କିସ୍ତିରେ ପ୍ରଦାନ କରିବା ବଦଳରେ ଗୃହନିର୍ମାଣରେ ସୁବିଧା ପାଇଁ ଏକକାଳୀନ ପ୍ରଦାନ କରିବେ। ଏହି ରାଶି ପରିବାର ପିଛା ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

Exit mobile version