ନ୍ୟୁଜ୍ରାଜ୍ୟ

ଓଡ଼ିଶାରେ ନବନିଯୁକ୍ତ ସେନା ଉପମୁଖ୍ୟ ଚଣ୍ଡୀପ୍ରସାଦ ମହାନ୍ତି

ସତ୍ୟଶିଖା (ଭୁବନେଶ୍ୱର) ୨୦/୦୧/୨୦୨୧ : ଜନ୍ମମାଟିରେ ପାଦ ଦେଉଦେଉ ଖୁସି ଖବର ପାଇଲି । ସେନା ଉପମୁଖ୍ୟ ପଦ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏହା ଏବେ ମୁଖ୍ୟ ଦାୟିତ୍ୱ ଭାବେ ତୁଲାଇବାକୁ ପଡ଼ିବ ବୋଲି କହିଛନ୍ତି ନବନିଯୁକ୍ତ ସେନା ଉପମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍‌ କରି ଶ୍ରୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।
ସୋମବାର ଗୋପାଳପୁର ଆର୍ମି ଡିଫେନ୍ସ କଲେଜରେ ପହଞ୍ଚିଥିବା ଚଣ୍ଡୀପ୍ରସାଦ ଆଜି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରୁ ବାହାରି ସେ ସେନା ଉପମୁଖ୍ୟ ଭାବେ ନିଜର ନୂତନ ନିଯୁକ୍ତି ନେଇ ଖୁସି ବ୍ୟକ୍ତ କରିବା ସହିତ ଓଡ଼ିଶାରୁ ଅଧିକ ଯୁବତୀମାନେ ଆର୍ମି ଅଫିସର ଭାବେ ଯୋଗ ଦେବା ପାଇଁ ଆହ୍ବାନ ଦେଇଥିଲେ । ସେ କହିଥିଲେ ଯେ ପୂର୍ବ ଅପେକ୍ଷା ଏବେ ଅନେକ ସୁବିଧା ସୁଯୋଗ ରହିଛି । କୋର ମିଲିଟାରି ପୁଲିସରେ ମଧ୍ୟ ଯଥେଷ୍ଟ ସୁଯୋଗ ରହିଛି । ତେଣୁ ଯୁବତୀମାନଙ୍କୁ ଆଗେଇ ଆସି ସେନାରେ ଯୋଗ ଦିଅନ୍ତୁ ।ସେହିପରି କେବଳ ସ୍ଥଳସେନା ନୁହେଁ; ବାୟୁସେନା ଏବଂ ନୌସେନାରେ ଅଧିକରୁ ଅଧିକ ଯୁବପିଢି ଯୋଗଦେବା ଉଚିତ ବୋଲି କହିଥିଲେ । ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାନ୍ତି କହିଥିଲେ; ବିଭିନ୍ନ ସମୟରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କର ସମସ୍ୟା ରହି ଆସିଛି । ଏ ସମ୍ପର୍କରେ ଅନେକ ବାର ଜିଲ୍ଲା ସୈନିକ ବୋର୍ଡ ସହ କଥା ହୋଇଛି । ଯାହା କିଛି ମୋ ଦ୍ୱାରା ସମ୍ଭବ ହୋଇଛି ତାହା କରିଛି । ପୂର୍ବରୁ ଦିଲ୍ଲୀ ଜରିଆରେ ଏ ସବୁ କାମ ହେଉଥିବାବେଳେ ଏବେ ଯାହା ମୋ ଦ୍ୱାରା ଯାହା କରିହେବ ପାରୁପର୍ଯ୍ୟନ୍ତ କରିବି । ସେନାରେ କଳିଙ୍ଗ ରେଜିମେଣ୍ଟ ଗଠନ ପ୍ରସଙ୍ଗରେ ସେ କହିଥିଲେ ଯେ ଏବେ ଏହା ଉପରେ କହିବା କିଛି ଠିକ୍ ହେବ ନାହିଁ । ଭାରତ ସ୍ବାଧୀନତା ପରଠୁ ଆଜି ପର୍ଯ୍ୟନ୍ତ ଗୋଟିଏ ରେଜିମେଣ୍ଟ ହୋଇଛି । ନାଗା ରେଜିମେଣ୍ଟ ଓ ଏହା ଅଧୀନରେ ଦୁଇଟି ବାଟାଲିଅନ୍ କାମ କରୁଛି । ଭୁବନେଶ୍ବର ବିମାନବନ୍ଦରରୁ ଶ୍ରୀ ମହାନ୍ତି କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା ୧୨୦ ବାଟାଲିଅନ ପରିସରକୁ ଯାଇଥିଲେ । ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ତାଙ୍କର ସୈନିକ ସ୍କୁଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଜଗତସିଂହପୁର ଜିଲ୍ଲା ଜୟବଡ଼ ଗ୍ରାମର ଜିତେନ୍ଦ୍ର କୁମାର ମହାନ୍ତି ଓ ସ୍ବର୍ଗତା ଡ. ଶାରଦା ମହାନ୍ତିଙ୍କର ମଝିଆ ପୁଅ ହେଉଛନ୍ତି ଚଣ୍ଡୀପ୍ରସାଦ । ରାଷ୍ଟ୍ରୀୟ ମିଲିଟାରି କଲେଜରେ ପାଠ ପଢିବା ସହ ନ୍ୟାସନାଲ ଡିଫେନ୍ସ ଏକାଡେମିରେ ତାଲିମ ନେଇଥିଲେ । ୧୯୮୨ରେ ସେ ରାଜପୁତ ରେଜିମେଣ୍ଟରେ ଚାକିରି ଆରମ୍ଭ କରିଥିଲେ ।ଜମ୍ମୁ କଶ୍ମୀରରେ ଆତଙ୍କବାଦ ନିରୋଧୀ କାର୍ଯ୍ୟକ୍ରମରେ ସେ ଜଣେ କମ୍ପାନି କମାଣ୍ଡର ଏବଂ ନିୟନ୍ତ୍ରଣ ରେଖାର ଜଣେ ବାଟାଲିଅନ୍ କମାଣ୍ଡର ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଆସାମରେ ଶାନ୍ତି ଫେରାଇ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଉଲ୍‌ଫା ଆତଙ୍କବାଦୀଙ୍କୁ ନିପାତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ମହାନ୍ତି ଅତି ବିଶିଷ୍ଟ ସେବା ସମ୍ମାନ ପାଇଥିଲେ । ଏବେ ସେ ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଭାବେ ଅବସ୍ଥାପିତ ଅଛନ୍ତି । ଆସନ୍ତା ୩୧ ତାରିଖରେ ସେ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ନେବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ, ଚଣ୍ଡୀପ୍ରସାଦଙ୍କ ମା ସ୍ବର୍ଗତା ଶାରଦା ମହାନ୍ତି ପ୍ରଥମ ମହିଳା ଭାବେ ପିଏଚ୍‌ଡି ଲାଭ କରିଥିଲେ । ସେହିପରି ତାଙ୍କ ବଡ଼ଭାଇ କେ.ପି ମହାନ୍ତି ହରିୟାଣା ପାନିପତସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନରେ ଜେନେରାଲ ମ୍ୟାନେଜର ଓ ସାନଭାଇ ଦେବୀପ୍ରସାଦ ମହାନ୍ତି ପେସାରେ ଜଣେ ଆଇନଜୀବୀ ବୋଲି ଜଣାପଡ଼ିଛି ।

Show More
Back to top button