ରାଜ୍ୟ

ଏଣିକି ଖାଲି ଆଇକାର୍ଡ ଦେଖାଇଲେ ଛାଡ଼ିବନି ପୁଲିସ୍‌

ସତ୍ୟଶିଖା(ଭୁବନେଶ୍ୱର) ୦୮ .୦୫.୨୦୨୧:  ଏଥର ସାବାଡ଼ ହେବେ ଅମାନିଆ । ଆଜିଠୁ କଟକ-ଭୁବନେଶ୍ୱରରେ ଚେକିଂକୁ କଡ଼ାକଡ଼ି  କରାଯାଇଛି । ପରିଚୟପତ୍ରର ଦୁରୁପଯୋଗ କରି ଏଣେତେଣ ବୁଲୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୁଲିସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏନେଇ ଦ୍ୱୈତନଗରୀର ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ, ଏଥର ଲକଡାଉନ ଓ ସଟଡାଉନରେ କୌଣସି ପାସ୍‌ ଜାରି କରାଯାଇନି । ଲୋକଙ୍କୁ ବିଶ୍ୱାସକୁ ନେଇ ପୁଲିସ୍‌ କାମ କରୁଛି । ଏହାସହ ଆଇଟି, ବ୍ୟାଙ୍କ ଭଳି ସେବା କ୍ଷେତ୍ରର ସଂସ୍ଥାକୁ କଟକଣାମୁକ୍ତ କରାଯାଇଛି । ହେଲେ ଏହାର ସୁଯୋଗ ନେଇ କର୍ମଚାରୀମାନେ ଖୁଲମଖୁଲା ସେମାନଙ୍କ କାର୍ଡ ଦେଖାଇ ବୁଲୁଛନ୍ତି ।

ଏଣୁ ଏହା ଉପରେ ନିୟନ୍ତ୍ରଣ ଆଣିବା ଲାଗି ସେମାନଙ୍କ ସଂସ୍ଥାକୁ ନିର୍ଦ୍ଦେଶ ଜାରି କରାଯାଇଛି । କେଉଁ କର୍ମଚାରୀ କେଉଁ ଅଫିସରେ, କେଉଁ ସମୟରେ କାମ କରିବେ ସେନେଇ ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଡିସିପିଙ୍କ ପାଖରେ ଦାଖଲ କରିବାକୁ ସଂସ୍ଥାଗୁଡ଼ିକୁ କୁହାଯାଇଛି । ଫଳରେ ଅମାନିଆଙ୍କ ଯାତାୟାତକୁ ରୋକାଯାଇପାରିବ ବୋଲି ପୁଲିସ୍‌ କହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ମହାମାରୀ ଏବେ ପ୍ରତିଦିନ ଲମ୍ବ ଡିଆଁ ମାରୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ନୂଆ ରେକର୍ଡ କରିବାରେ ଲାଗିଛି। ଏପରି ସ୍ଥିତିରେ  ସଂକ୍ରମଣ ଚେନ୍‌କୁ ଭାଙ୍ଗିବାକୁ ସମଗ୍ର ରାଜ୍ୟରେ ଲକଡାଉନ୍‌ , ଶଟଡାଉନ୍‌ ଘୋଷଣା କରାଯାଇଥିବା ସତ୍ତ୍ୱେ ରାସ୍ତାରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଅଧିକାଂଶ ଲୋକ ମିଥ୍ୟା ପରିଚୟପତ୍ର ଦେଖାଇ ଖୁଲମଖୁଲା ବୁଲୁଥିବା ବେଳେ ସେମାନଙ୍କୁ ସାବାଡ଼ କରିବାକୁ ଏପରି ଘୋଷଣା କରିଛନ୍ତି ସିପି।

Show More
Back to top button