ନ୍ୟୁଜ୍ରାଜ୍ୟ

ଆସନ୍ତାକାଲିଠୁ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

ସତ୍ୟଶିଖା ୧୬/୦୨/୧୦୨୧ : ଆଉ ଦିନକ ପରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବ । ପଶ୍ଚିମ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାପରେ ଅର୍ଥାତ ୧୭ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୋନପୁର, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିସହ ୧୮ ତାରିଖ ଦିନ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲା‌ରେ ବି ବର୍ଷା ହେବ । ଏଣୁ ୧୭ ଓ ୧୮ ତାରିଖ ପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୧ ଡିଗ୍ରୀ ରେକର୍ଡ ହୋଇଛି । ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିଛି । ଅବଶିଷ୍ଟ ସ୍ଥାନଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ରହିଛି । ସର୍ବାଧିକ ତାପମାତ୍ରା ବି ପାଖାପାଖି ସ୍ୱାଭାବିକ ରହିଛି । କିନ୍ତୁ କିଛି କିଛି ସ୍ଥାନରେ ସର୍ବଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ କରିଛି । ଭୁବନେଶ୍ୱର ସହରରେ ମଧ୍ୟ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଏଠାରେ ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ର‌ା ୧୭.୫ ଡିଗ୍ରୀ ରହିଥିଲା ।

Show More
Back to top button