ନ୍ୟୁଜ୍ରାଜ୍ୟ

ସରସ୍ୱତୀ ପୂଜାରେ ହାଲୁକା ବର୍ଷା ସମ୍ଭାବନା

ସତ୍ୟଶିଖା (ଭୁବନେଶ୍ୱର) ୧୫/୦୨/୧୦୨୧ : ପାଗରେ ହେବ ପରିବର୍ତ୍ତନନ । ରାଜ୍ୟରେ ଏବେ ବଦଳିବ ପାଗ । ସରସ୍ୱତୀ ପୂଜାରୁ (୧୬ ତାରିଖରୁ) ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ବୁଧବାରଠାରୁ ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୮ ତାରିଖ (ଗୁରୁବାର) ପର୍ଯ୍ୟନ୍ତ ଏଭଳି ପାଗ ରହିବ । ତା’ପରେ କ୍ରମଶଃ ଦିନ ତାପମାତ୍ରା ବଢ଼ିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଏପରି ପୂର୍ବାନୁମାନ କରିଛନ୍ତି ।

ଏବେ ରାଜ୍ୟରେ ଶୀତ କମିଯାଇଛି । କେଉଁଠି କାଁ ଭାଁ ଶୀତ ହେଉଛି। ଆଉ ଶୀତ ବଢ଼ିବା ସମ୍ଭାବନା ନାହିଁ । ରାଜ୍ୟରେ ଏଣିକି ତାପମାତ୍ରା ବଢ଼ିବ। ରବିବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ଥିଲା ୩୫.୪ ଡିଗ୍ରୀ ସେଲସିୟସ୍‌ । ଗତବର୍ଷ ଫେବ୍ରୁଆରୀରେ ରାଜଧାନୀ ପାରଦ ଆଦୌ ୩୫ ଡିଗ୍ରୀ ଛୁଇଁନଥିଲା । ୨୦୨୦ ଫେବ୍ରୁଆରୀ ୧୫ରେ ଭୁବନେଶ୍ୱର ତାପମାତ୍ରା ୩୪.୬ ଡିଗ୍ରୀ ଥିଲା । କଟକ ତାପମାତ୍ରା ରବିବାର ୩୪.୬ ଡିଗ୍ରୀ ଥିବାବେଳେ ଅନୁଗୁଳ ୩୪.୭ ଡିଗ୍ରୀ ଥିଲା । ଅନେକ ଜାଗାରେ ପାରଦ ୩୦ରୁ ୩୩ ଡିଗ୍ରୀ ମଧ୍ୟରେ ରହିଥିଲା ।ପାଣିପାଗ ବିଭାଗର କହିବାନୁସାରେ, ସୋମବାର ରାଜ୍ୟର ପାଗ ଶୁଖିଲା ରହିବ । ମଙ୍ଗଳବାର ସମ୍ବଲପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼,ଦେବଗଡ଼ର ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ବୁଧବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସହ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ସେହିପରି ଗୁରୁବାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

Show More
Back to top button