

ସତ୍ୟଶିଖା( ଭୁବନେଶ୍ୱର)୧୨ .୦୭ . ୨୦୨୨: ବର୍ତ୍ତମାନ ଓଡ଼ିଶା ଉପରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଫଳରେ ରାଜ୍ୟ ତମାମ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୃଷ୍ଟି ହୋଇଥିବା ଲଘୁଚାପ ୩ ଦିନ ହେଲା ଓଡ଼ିଶା ଉପରେ ରହିଛି । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳର ସମୁଦ୍ର ମଧ୍ୟରେ ତାହା ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହେଉଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ରେକର୍ଡ କରାଯାଇଛି । ୧୫ କିମ୍ବା ୧୬ ବେଳକୁ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି ।
ଏଥିସହ ପୂରା ରାଜ୍ୟରେ ମୌସୁମୀ ମଧ୍ୟ ସକ୍ରିୟ ରହିଥିବା ସେ କହିଛନ୍ତି । ଅନ୍ୟପଟେ ମୌସୁମୀ ଟ୍ରଫ୍-ଲାଇନ୍ ଏବେ ଦକ୍ଷିଣ ଉପକୂଳ ଓଡ଼ିଶା ଉପରିସ୍ଥ ଲଘୁଚାପ ବଳୟର କେନ୍ଦ୍ର ଦେଇ ଗତି କରୁଛି । ଆସନ୍ତା ୧୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଧୀରେଧୀରେ ବର୍ଷାର ବିସ୍ତୃତି ବଢ଼ିବ । ୧୪ରୁ ୧୬ ତାରିଖ ୩ ଦିନ କେତେକ ସ୍ଥାନରେ ଅତିପ୍ରବଳ ଲଗାଣ ବର୍ଷା ହେବ । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ଅଞ୍ଚଳରେ ସବୁଠାରୁ କମ୍ ବର୍ଷା ହେବ । ବାକି ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ସପ୍ତାହକର ସମୁଦାୟ ବର୍ଷା ୧୫୦ରୁ ୨୦୦ମିମି ଓ ସ୍ଥାନେ ସ୍ଥାନେ ଅଧିକ ହୋଇପାରେ । ୧୫ ଓ ୧୬ ତାରିଖରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଓଡ଼ିଶାର ବର୍ଷା ପରିମାଣ ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ ମାସରେ ସମଗ୍ର ରାଜ୍ୟରେ ୩୭% କମ ବର୍ଷା ହୋଇଥିଲା । ଜୁନ ମାସରେ ୨୧ ସେମି ବର୍ଷା ହେବା କଥା । କିନ୍ତୁ ସମଗ୍ର ରାଜ୍ୟରେ ୧୩ ସେମି ବର୍ଷା ରେକର୍ଡ କରାଯାଇଛି । ତେବେ ଜୁଲାଇରେ ସ୍ଥିତି ବଦଳିଛି । ଜୁଲାଇ ୧ରୁ ୧୧ ମଧ୍ୟରେ ୧୩.୬ ସେମି ବର୍ଷା ହୋଇଛି । ସ୍ୱାଭିବକ ଭାବେ ଏହି ସମୟରେ ୧୦.୫ ସେମି ବର୍ଷା ହେବା କଥା । କିନ୍ତୁ ଚଳିତ ବର୍ଷ ୩୦% ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଜୁନ ୧ରୁ ଜୁଲାଇ ୧୧ ମଧ୍ୟରେ ହାରାହାର ୨୭ ସେମି ବର୍ଷା ହୋଇଛି । ବାସ୍ତବରେ ୩୧ ସେମି ବର୍ଷା ହେବା କଥା । ତେଣୁ ଏଯାଏ ରାଜ୍ୟରେ ୧୫% କମ ବର୍ଷା ହୋଇଛି । କିନ୍ତୁ ଜୁଲାଇରେ ନିଅଣ୍ଟିଆ ବର୍ଷାର ସମସ୍ୟା ଦୂର ହେବ । ଜିଲ୍ଲାୱାରି ଦେଖିଲେ ପୁରୀ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ନବରଙ୍ଗପୁର, ସୁନ୍ଦରଗଡ଼ରେ ସ୍ୱାଭାବିକ ଠାରୁ ୫୦% କମ ବର୍ଷା ରେକର୍ଡ କରାଯାଇଛି । ଜୁଲାଇରେ ସମଗ୍ର ରାଜ୍ୟରେ ଭଲ ବର୍ଷା ହୋଇଥିଲେ ମଧ୍ୟ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡିଛି ।