ନ୍ୟୁଜ୍

ପ୍ରବଳ ବର୍ଷା ସମ୍ଭାବନା ! ଦାନା ବାନ୍ଧୁଛି ଲଘୁଚାପ l

 ସତ୍ୟଶିଖା ୦୩.୦୮.୨୦୨୦ : ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ବାଂଲାଦେଶ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କାଲି ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହେବ ଓ ରାଜ୍ୟରେ ଆଜିଠାରୁ ୬ତାରିଖ ଯାଏ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର  । ତେବେ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଥିବା ବେଳେ ଆସନ୍ତାକାଲି ହେବାକୁ ଥିବା ଲଘୁଚାପ ବର୍ଷା ଚାଷୀ ମନରେ ଆଶା ସଂଚାର କରିଛି ।

ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪ ଓ ୫ ତାରିଖରେ ବର୍ଷାର ପରିମାଣ ବଢ଼ିବ । ଏହି ଦୁଇ ଦିନ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ସେହିପରି ୮ତାରିଖ ଦିନ ମଧ୍ୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ଫଳରେ ୮ରୁ ୧୧ ତାରିଖ ଯାଏଁ ରାଜ୍ୟରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

Show More
Back to top button