ସତ୍ୟଶିଖା (ମୁମ୍ବାଇ) ୦୪/୧୨/୨୦୨୦ : ଦେଶର ଅନ୍ୟତମ ବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ ଏଚ୍ଡିଏଫ୍ସି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି କଟକଣା ଲଗାଇବା ସମସ୍ତଙ୍କୁ ଚକିତ କରିଛି । ବିଗତ ତିନି ବର୍ଷରେ ବ୍ୟାଙ୍କର ଡିଜିଟାଲ୍ ସେବା ତିନି ଥର ବ୍ୟାହତ ହେବା ବିଷୟ ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଚ୍ଡିଏଫ୍ସି ବ୍ୟାଙ୍କ ନୂଆ ଡିଜିଟାଲ୍ ସେବା ଆରମ୍ଭ କରିପାରିବ ନାହିଁ ଓ ନୂଆ କ୍ରେଡିଟ୍ କାର୍ଡ ଜାରି କରିପାରିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କହିଛି । ସେବାରେ କାହିଁକି ବିଭ୍ରାଟ ହେଉଛି, ତାହାର କାରଣ ଖୋଜିବା ଏବଂ ଦାୟିତ୍ବବୋଧ ନ୍ୟସ୍ତ କରିବା ଲାଗି ବ୍ୟାଙ୍କର ବୋର୍ଡକୁ କୁହାଯାଇଛି । ୨୦୧୮, ୨୦୧୯ ଓ ୨୦୨୦ରେ ଏଚ୍ଡିଏଫ୍ସି ବ୍ୟାଙ୍କର ସେବାରେ ବିଭ୍ରାଟ ଦେଖାଦେଇଛି । ୨୦୧୮ ନଭେମ୍ବରରେ ବ୍ୟାଙ୍କ ପକ୍ଷରୁ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରାଯାଇଥିଲା । ସେଥିରେ ଲଗ୍ ଇନ୍ କରିବାକୁ ଗ୍ରାହକମାନେ ଅସୁବିଧା ସାମ୍ନା କରିଥିଲେ । ତେଣୁ ବାଧ୍ୟ ହୋଇ ସେହି ଆପ୍କୁ ବ୍ୟାଙ୍କ ପ୍ରତ୍ୟାହାର କରି ପୁରୁଣା ଆପ୍କୁ ଚାଲୁ କରିଥିଲା ।
ଗ୍ରାହକଙ୍କୁ କ୍ଷମା ମାଗିଲେ ସିଇଓ
ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଲଗାଯିବା ପରେ ଗ୍ରାହକମାନଙ୍କୁ ଏଚ୍ଡିଏଫ୍ସି ବ୍ୟାଙ୍କର ସିଇଓ ଶଶିଧର ଜଗଦ୍ଦିଶନ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । ସମସ୍ୟାର ସମାଧାନ ଲାଗି ଆମେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛୁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।