ବାଣିଜ୍ୟ

ଜାନୁଆରିରୁ ଗାଡ଼ି ଦାମ୍ ବଢ଼ିବ

ସତ୍ୟଶିଖା (ନୂଆଦିଲ୍ଲୀ) ୨୨ /୧୨/୨୦୨୦ : ଗାଡ଼ି ତିଆରିରେ ବ୍ୟବହାର ହେଉଥିବା ଇସ୍ପାତ, ଆଲୁମିନିୟମ୍ ଓ ପ୍ଲାଷ୍ଟିକ୍ ଭଳି ସାମଗ୍ରୀର ଦାମ୍ ବୃଦ୍ଧି ପାଇଥିବାରୁ କଂପାନିଗୁଡ଼ିକ ଜାନୁଆରିରୁ ବିଭିନ୍ନ ମଡେଲ୍‌ର ଦାମ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଟାଟା ମୋଟର୍ସ ପକ୍ଷରୁ ବାଣିଜ୍ୟିକ ଯାନଗୁଡ଼ିକର ଦାମ୍ ବୃଦ୍ଧି କରାଯିବ । କେଉଁ ମଡେଲ୍‌ର ଦାମ୍ କେତେ ବଢ଼ିବ ତାହା ଜଣାପଡ଼ିନାହିଁ । ଛୋଟ ଓ ବଡ଼ ଆକୃତିର ବାଣିଜ୍ୟିକ ଯାନ ଠାରୁ ଆରମ୍ଭ କରି ବସ୍‌ ପର୍ଯ୍ୟନ୍ତ ସବୁ ପ୍ରକାର ଗାଡ଼ିର ଦାମ୍ ବଢ଼ାଇବ ଟାଟା ମୋଟର୍ସ । ବିଳାସପୂର୍ଣ୍ଣ କାର୍‌ ନିର୍ମାତା ବିଏମ୍‌ଡବ୍ଲୁ ମଧ୍ୟ ଆସନ୍ତା ମାସରୁ ବିଭିନ୍ନ ମଡେଲ୍‌ର ଦାମ୍ ଦୁଇ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବ । ଜାନୁଆରି ୪ରୁ ସମସ୍ତ ବିଏମ୍‌ଡବ୍ଲୁ ଓ ମିନିର ସମସ୍ତ ମଡେଲ୍‌ର ଦାମ୍ ବଢ଼ିବ । ମାରୁତି ସୁଜୁକି ଓ ହୋଣ୍ଡା ଭଳି ବଡ଼ କାର୍‌ କଂପାନି ତରଫରୁ ମୂଲ୍ୟ ବୃଦ୍ଧି ବିଷୟରେ ଘୋଷଣା କରାଯାଇସାରିଛି । ମାରୁତି ସୁଜୁକିର ‌କେଉଁ ମଡେଲ୍‌ ଦାମ୍ କେତେ ବଢ଼ିବ ତାହା ଜଣାପଡ଼ିନାହିଁ । କିଆ ମୋଟର୍ସ ପକ୍ଷରୁ ସୋନେଟ୍ ଓ ସେଲ୍‌ଟୋସ୍‌ର ଦାମ୍ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଓ ଫୋର୍ଡ ମଧ୍ୟ ଗାଡ଼ି ଦାମ୍ ବଢ଼ାଇବା ସଙ୍କେତ ଦେଇଛନ୍ତି । ଦୁଇଚକିଆ ଯାନ ନିର୍ମାତା ଭାବେ ହିରୋ ମୋଟୋକର୍ପ ମଧ୍ୟ ବିଭିନ୍ନ ମଡେଲ୍‌ର ଦାମ୍ ୧୫୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ବିଷୟରେ ଘୋଷଣା କରିଛି ।

Show More
Back to top button