ଜଗତସିଂହପୁର ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସତ୍ୟଶିଖା( ଭୁବନେଶ୍ୱର )୧୭ .୦୮. ୨୦୨୨: ଜଗତସିଂହପୁର ଜିଲ୍ଲାରେ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ସ୍ଥିତି ପାଇଁ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ପାରୁଲ ପଟୱାରୀ। ସମସ୍ତ କର୍ମଚାରୀ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହାନଦୀ ଓ ତା’ର ଶାଖା  ଦେବୀ ଏବଂ ପାଇକା ନଦୀରେ ବନ୍ୟା ପାଣି ପ୍ରବାହିତ ହୋଇଛି। ଯାହାଫଳରେ ଜଗତସିଂହପୁର ଜିଲ୍ଲାର ୩୦ଟି ପଞ୍ଚାୟତର ୫୬ ଗାଁ ପ୍ରଭାବିତ ହୋଇଛି। ଏନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନ୍ୟାରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ତଳିଆ ଅଞ୍ଚଳ ଏବଂ ପାଣିଘେରରେ ରହି ଯାଇଥିବା ୧୭୪୨ ଲୋକଙ୍କୁ ଉଦ୍ଧାର କରାଯାଇ ୧୪ଟି ସ୍କୁଲ ଓ ବତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି।

ସେହିପରି ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ଦେବୀନଦୀର ଦଳେଇଘାଇ ନିକଟରେ ଜଳସ୍ତର କ୍ରମାଗତ ଭାବେ ହ୍ରାସ୍‌ ପାଉଛି। ମଙ୍ଗଳବାର ଏଠାରେ ଜଳସ୍ତର ସର୍ବାଧିକ ୬୨.୨୦ ଫୁଟ ରହିଥିବା ବେଳେ ଆଜି ଅପରାହ୍ନ ୩ ଘଣ୍ଟା ସୁଦ୍ଧା ଏଠାରେ ଜଳସ୍ତର ୫୯.୫୦ ଫୁଟ ରହିଛି। ସେହିପରି ଆଳିପିଙ୍ଗଳଠାରେ ମଧ୍ୟ ଦେବୀନଦୀର ଜଳସ୍ତର ୧୨.୦୬ ମିଟରରୁ ହ୍ରାସ୍‌ ପାଇ ଆଜି ଅପରାହ୍ନ ୩ ଘଣ୍ଟା ସୁଦ୍ଧା ୧୧.୯୮ ମିଟରରେ ପହଞ୍ଚିଥିବା ଜଳସମ୍ପଦ ବିଭାଗ ପକ୍ଷରୁ ଜଣାପଡ଼ିଛି।
Exit mobile version