

ସତ୍ୟଶିଖା (ଭୁବନେଶ୍ୱର) ୧୫.୧୨.୨୦୨୧: ବୟସ ମାତ୍ର ୧୯ ମାସ। କିନ୍ତୁ ଆପଣ ଯାହା ପଚାରିବେ ସେ ଚଟାପଟ୍ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବ। ମଣିଷ ଶରୀରର ୧୭ଟି ଅଂଶ, ୫ ପ୍ରକାର ରଙ୍ଗ, ଯାନବାହାନ, ପଶୁପକ୍ଷୀ ଇତ୍ୟାଦି ସବୁ ଚିହ୍ନିପାରୁଛି ଏହି କୁନି ଛୁଆଟି। ଏମିତିକି ଦେଶର ନାଁ, ଆମ ଦେଶର ରାଜଧାନୀ, ଜାତୀୟ ପଶୁ, ଫୁଲ ସମ୍ପର୍କରେ ମଧ୍ୟ ତାର ମନେ ଅଛି। ଗୋଟିଗୋଟି କରି ସବୁ ଠିକ୍ ଠାକ୍ ସେ କହିପାରୁଛି। ଆଉ ତାର ଏହି କୃତିତ୍ୱ ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ତାର ନାଁ ମଧ୍ୟ ସ୍ଥାନୀତ ହୋଇଛି।
ଏ ବିରଳ ବ୍ୟକ୍ତିତ୍ୱର କୁନି କନ୍ୟାଟିର ନାଁ ହେଉଛି ରୁଦ୍ରାଂଶି। ଖୋର୍ଦ୍ଧା ଜିଲ୍ଲା ଜଟଣୀର ଜ୍ୟୋତିପ୍ରକାଶ ଓ ମାଆ ପଙ୍କଜିନୀଙ୍କ ଗୋଟିଏ ମାତ୍ର ଝିଅ ହେଉଛନ୍ତି ରୁଦ୍ରାଶିଂ। ୨୦୨୦ ମାର୍ଚ୍ଚ ୨୯ରେ ରୁଦ୍ରାଶିଂର ଜନ୍ମ। ବୟସ ବଢିବା ସହ ତା ମେଧାଶକ୍ତି ପ୍ରଚଣ୍ଡ ଭାବେ ବୃଦ୍ଧି ପାଇଛି। ଯେଉଁ ବୟସରେ ମଣିଷ ଛୁଆଟିଏ କଥା କହିବା ଶିଖେ ସେ ସମୟରେ ଏତେ ସବୁ ଜିନିଷକୁ ଚିହ୍ନିବା, ମନେ ରଖିବା ଆଉ କହିପାରିବା ନିଶ୍ଚିତ ଭାବେ ବିଭୁଦତ୍ତ ଆର୍ଶିବାଦ ବୋଲି କୁହାଯାଇପାରେ।
ରୁଦ୍ରାଂଶିକୁ ମାତ୍ର ୧ ବର୍ଷ ୭ ମାସ ହୋଇଥିବା ବେଳେ ଘରଲୋକେ ଏ ବିରଳ ପ୍ରତିଭା କଥାଟି ଜାଣିପାରି ତା ନାଁକୁ ଅନଲାଇନ୍ ମାଧ୍ୟମରେ ପ୍ରତିଭା ପ୍ରଦର୍ଶନ ପାଇଁ ପଞ୍ଜୀକୃତ କରିଥିଲେ। ୨୦୨୧ ନଭେମ୍ବର ୮ ତାରିଖରେ ବିଚାରକମଣ୍ଡଳୀ ଦ୍ୱାରା ରୁଦ୍ରାଂଶିର ପ୍ରତିଭାକୁ ଭୂୟସୀ ପ୍ରଶଂସା କରାଯାଇଥିଲା।
ଶେଷରେ ଇଣ୍ଡିଆ ବୁକ ଅଫ ରେକର୍ଡର ମୁଖ୍ୟ ସମ୍ପାଦକ ଡ. ବିଶ୍ୱରୂପ ରାୟ ଚୌଧୁରୀଙ୍କ ଦ୍ୱାରା ଅନୁମୋଦିତ ସାର୍ଟିଫିକେଟ ରୁଦ୍ରାଂଶିଙ୍କ ପିତା ଜ୍ୟୋତିପ୍ରକାଶକୁ ମିଳିଛି। ଫଳରେ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ରୁଦ୍ରାଂଶିର ନାଁ ସ୍ଥାନୀତ ହୋଇଛି। ଏହା ନିଶ୍ଚିତ ଭାବେ ଜଟଣୀ ଅଞ୍ଚଳ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଜ୍ୟାତିପ୍ରକାଶ।