

ସତ୍ୟଶିଖା ୦୯/୦୨/୨୦୨୧ : ରାଜ୍ୟରେ ବସ୍ ଭଡ଼ା ପୁଣି ବୃଦ୍ଧି ପାଇଛି । ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୪ ପଇସା ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୮୦ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୭ରୁ ୮୪ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସା, ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୩୧ ପଇସାରୁ ୧ ଟଙ୍କା ୩୯ ପଇସା ହୋଇଛି । ପ୍ରଥମ ଥର ପାଇଁ ସୁପର୍ ପ୍ରିମିୟମ୍ ବସ୍ ନିମନ୍ତେ ସ୍ବତନ୍ତ୍ର ଭାବେ ଦର ଧାର୍ଯ୍ୟ କରାଯାଇଛି । ଏହି ବସ୍ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୧୭ ପଇସା କରାଯାଇଛି ।
ଘରୋଇ ବସ୍ ମାଲିକ ସଂଘ ଦେବାଶିଷ ନାୟକଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୩ଟି ପାରାମିଟର୍ ନେଇ ବସ୍ ଭଡ଼ା ନିର୍ଦ୍ଧାରଣ ହୁଏ । ଡିଜେଲ୍ ଦର ହ୍ରାସ ଓ ବୃଦ୍ଧି ଅନୁଯାୟୀ ବସ୍ ଭଡ଼ା ନିର୍ଦ୍ଧାରଣ ବର୍ଷ ତମାମ ଆପେ ଆପେ ହୁଏ । ତେବେ ବର୍ଷକରେ ଥରେ ଅନ୍ୟ ୧୨ଟି ପାରାମିଟର୍କୁ ନେଇ ବସ୍ ଭଡ଼ା ନିର୍ଦ୍ଧାରଣ କରାଯାଏ । ଗତ ବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ପାରାମିଟର୍କୁ ବିଚାରକୁ ନେଇ ବସ୍ ଭଡ଼ା ବୃଦ୍ଧି କରିବାକୁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସୁପାରିସ୍ କରିଥିଲା । କୋଭିଡ୍ ପାଇଁ ତାହା ଲାଗୁ ହୋଇ ନ ଥିଲା । ପ୍ରାୟ ଏକ ବର୍ଷ ବିଳମ୍ବରେ ଏବେ ଲାଗୁ କରାଯାଇଛି ।