ସତ୍ୟଶିଖା (ନୂଆଦିଲ୍ଲୀ) ୧୧/୦୨/୨୦୨୧ : ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମରାହ ଚେନ୍ନାଇ ଟେଷ୍ଟରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ପ୍ରଥମ ଟେଷ୍ଟରେ ଭାରତ ଇଂଲଣ୍ଡଠାରୁ ୨୨୭ ରନରେ ହାରିବା ପରେ ବି ୨୭ ବର୍ଷୀୟ ବୁମରାହ ଏକ ଖାସ୍ ରେକର୍ଡ ହାସଲ କରିଛନ୍ତି । ବୁମରାହ ଲିଲି-ଲାସନ-ବିସୋପ୍ କ୍ଲବରେ ସାମିଲ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଟେଷ୍ଟରେ ବୁମରାହ ୪ଟି ଓ୍ୱିକେଟ୍ ନେଇଥିଲେ । ସେ ଏବେସୁଦ୍ଧା ୧୮ଟି ଟେଷ୍ଟରେ ୮୩ଟି ଓ୍ୱିକେଟ୍ ହାସଲ କରିସାରିଛନ୍ତି । ଦ୍ରୁତ ବୋଲର ଡେନିସ୍ ଲିଲି, ଜ୍ୟୋଫ୍ ଲାସନ୍ ଓ ଇଆନ ବିସୋପ ମଧ୍ୟ ୧୮ଟି ମ୍ୟାଚରୁ ସମାନ ସଂଖ୍ୟକ ଓ୍ୱିକେଟ୍ ହାସଲ କରିଥିଲେ ।
ଏହାସହ ବୁମରାହ ଚେନ୍ନାଇ ଟେଷ୍ଟରେ ଆଉ ଏକ ଖାସ ରେକର୍ଡ କରିଛନ୍ତି । ସେ ବିଦେଶରେ ସବୁଠାରୁ ଅଧିକ ଟେଷ୍ଟ ଖେଳି ଘରୋଇ ମାଟିରେ ପଦାର୍ପଣ କରିଥିବା ପ୍ରଥମ ଖେଳାଳି ଅଟନ୍ତି । ଏହି ରେକର୍ଡ ପୂର୍ବରୁ ଜାଭାଗଲ ଶ୍ରୀନାଥଙ୍କ ନାମରେ ଥିଲା । ଶ୍ରୀନାଥ ବିଦେଶରେ ୧୨ଟି ଟେଷ୍ଟ ଖେଳିବା ପରେ ଘରୋଇ ମାଟିରେ ପଦାର୍ପଣ କରିଥିଲେ। ସେହିପରି ରୁଦ୍ରପ୍ରଦାପ ସିଂ(୧୧), ସଚିନ ତେନ୍ଦୁଲକର(୧୦), ଆଶିଷ ନେହେରା(୧୦)ଙ୍କ ନାଁ ବି ତାଲିକାରେ ସାମିଲ ଅଛି ।
ଭାରତୀୟ ବୋଲରଙ୍କ କଥା କହିଲେ ବୁମରାହ ଇରଫାନ ପଠାନଙ୍କୁ ପଛରେ ପକାଇ ଦେଇଛନ୍ତି । ପଠାନଙ୍କ ନାଁରେ ୧୮ଟି ଟେଷ୍ଟରୁ ୭୩ଟି ଓ୍ୱିକେଟ୍ ରହିଛି । ତୃତୀୟ ସ୍ଥାନରେ ମହମ୍ମଦ ସାମି ରହିଛନ୍ତି । ସେ ୬୬ଟି ଓ୍ୱିକେଟ ନେଇଛନ୍ତି । ସୂଚନାଯୋଗ୍ୟ, ବୁମରାହ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିଲେ । ସେ ଏବି ଡିଭିଲର୍ସଙ୍କୁ ଆଉଟ କରି ନିଜର ପ୍ରଥମ ଟେଷ୍ଟ ଓ୍ୱିକେଟ୍ ନେଇଥିଲେ । ନିଜର ଛୋଟ ଟେଷ୍ଟ କ୍ୟାରିଅରରେ ଅନେକ ବଡ ରେକର୍ଡ ହାସଲ କରିପାରିଛନ୍ତି ବୁମରାହ।