

ସତ୍ୟଶିଖା(ଭୁବନେଶ୍ଵର) ୧୦.୦୩.୨୦୨୧: ଫ୍ଲାଟ୍ ଦେବାକୁ କହି ଜଣେ ସେନା କର୍ମଚାରୀଙ୍କଠାରୁ ପାଖାପାଖି ୨୪ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ୍ ଆଜି ଜଣେ ବିଲ୍ଡର୍ଙ୍କୁ ଗିରଫ କରିଛି। ସେ ହେଲେ, ମଞ୍ଚେଶ୍ୱର ଶ୍ରୀଜିଉ କନ୍ଷ୍ଟ୍ରକସନ୍ର ରତିକାନ୍ତ ପାଢ଼ୀ। ଖାରବେଳନଗର ଆକ୍ସିସ୍ ବ୍ୟାଙ୍କ ମ୍ୟାନେଜର୍ କିଶୋର ମଣ୍ଡଳଙ୍କ ଅଭିଯୋଗକ୍ରମେ ପୁଲିସ୍ ଏକ ମାମଲା ରୁଜୁ କରି ଆଜି ରତିକାନ୍ତଙ୍କୁ କୋର୍ଟଚାଲାଣ କରିଛି। ରତିକାନ୍ତ କେବଳ ଏହି ଗୋଟିଏ ଠକେଇରେ ସାମିଲ ଅଛନ୍ତି, ନା ତାଙ୍କ ନାଁରେ ଆହୁରି ଅଭିଯୋଗ ଅଛି, ସେ ନେଇ ପୁଲିସ୍ ଖୋଳତାଡ଼ ଚଳାଇଛି। ଠକେଇର ଶିକାର ହୋଇଥିବା ସେନା କର୍ମଚାରୀଜଣଙ୍କ ହେଲେ ପିପିଲିର ଧୀରେନ୍ଦ୍ର ଜେନା।
ପୁଲିସ୍ ସୂଚନା ମୁତାବକ, ଧୀରେନ୍ଦ୍ର ଫ୍ଲାଟ୍ କିଣିବା ପାଇଁ ଆକ୍ସିସ ବ୍ୟାଙ୍କ୍ ଖାରବେଳନଗର ଶାଖାରୁ ୨୩ ଲକ୍ଷ ୯୦ ହଜାର ଟଙ୍କା ଋଣ କରିଥିଲେ। ଭଗବତୀ ଏନ୍କ୍ଲେଭ୍ରେ ଫ୍ଲାଟ୍ ପାଇଁ ସେ ବିଲ୍ଡର୍ ରତିକାନ୍ତଙ୍କ ସହ ଚୁକ୍ତି କରିଥିଲେ। ଚୁକ୍ତି ମୁତାବକ, ବ୍ୟାଙ୍କରୁ ଋଣ ଟଙ୍କା ନେଇ ରତିକାନ୍ତ ତାଙ୍କୁ ଗୋଟିଏ ଫ୍ଲାଟ୍ ଯୋଗାଇ ଦେବେ। ପରେ ଧୀରେନ୍ଦ୍ର ବ୍ୟାଙ୍କ୍ ଋଣ ପରିଶୋଧ କରିବେ। କିନ୍ତୁ ବ୍ୟାଙ୍କ୍ କିମ୍ବା ଧୀରେନ୍ଦ୍ରଙ୍କୁ ନ ଜଣାଇ ରତିକାନ୍ତ ଉକ୍ତ ଫ୍ଲାଟ୍କୁ ଆଉ ଜଣଙ୍କୁ ବିକି ଦେଇଥିଲେ। ଏ ସଂପର୍କରେ ଜଣାପଡ଼ିବା ପରେ ବ୍ୟାଙ୍କ୍ ମ୍ୟାନେଜର୍ ଖାରବଳେନଗର ଥାନାରେ ଅଭିଯୋଗ କରିଥିଲେ।