ସତ୍ୟଶିଖା ୦୨/୦୨/୨୦୨୧ : ରେଳବାଇ ପାଇଁ ଆଜି ୧,୧୦,୦୫୫ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଛି । ସେଥିରୁ ୧,୦୭,୧୦୦ କୋଟି ଟଙ୍କା ହେଉଛି ପୁଞ୍ଜି ବ୍ୟୟ । ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପର୍ଯ୍ୟଟନ ସ୍ଥଳକୁ ଯୋଡ଼ୁଥିବା ରୁଟ୍ରେ ଅତି ସୁନ୍ଦର ଭାବେ ତିଆରି କରାଯାଇଥିବା ଭିଷ୍ଟାଡୋମ୍ ଏଲ୍ଏଚ୍ବି କୋଚ୍ ବ୍ୟବହାର କରାଯିବ । ମନୁଷ୍ୟକୃତ ଭୁଲ୍ ଯୋଗୁଁ ହେଉଥିବା ଦୁର୍ଘଟଣା ହ୍ରାସ କରିବା ଲାଗି ସ୍ଵଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ସ୍ଵୟଂକ୍ରିୟ ଟ୍ରେନ୍ ଦୁର୍ଘଟଣା ଏଡ଼ାଇବା ବ୍ୟବସ୍ଥା ଲାଗୁ କରାଯିବ ।
ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ବଜେଟ୍ରେ ଜୋର ଦିଆଯାଇଛି । ଡେଡିକେଟେଡ୍ ଫ୍ରେଟ୍ କରିଡର୍ କାର୍ଯ୍ୟକ୍ଷମ ହେବା ପରେ ସେଥିରୁ ଆୟ କରିବା ଲାଗି ରେଳବାଇ ଉଦ୍ୟମ କରିବ । ରେଳବାଇ ପକ୍ଷରୁ ଜାତୀୟ ରେଳ ଯୋଜନା ୨୦୩୦ ପ୍ରସ୍ତୁତ କରାଯାଇଛି । ଭବିଷ୍ୟତ ପାଇଁ ଦରକାର ହେଉଥିବା ରେଳ ଭିତ୍ତଭୂମି ବିକଶିତ କରିବା ଏବଂ ଶିଳ୍ପ ପାଇଁ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ହେଉଛି ଏହାର ପ୍ରମୁଖ ଉଦ୍ଦେଶ୍ୟ । ୨୦୨୨ ସୁଦ୍ଧା ଇଷ୍ଟର୍ଣ୍ଣ ଓ ୱେଷ୍ଟର୍ଣ୍ଣ ଫ୍ରେଟ୍ କରିଡର୍ କାର୍ଯ୍ୟକ୍ଷମ ହେବ ବୋଲି ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଭବିଷ୍ୟତରେ ଖଡ଼ଗପୁରରୁ ବିଜୟୱାଡା ପର୍ଯ୍ୟନ୍ତ ଇଷ୍ଟ୍ କୋଷ୍ଟ୍ କରିଡର୍, ଭୁଷାୱାଲ୍ରୁ ଖଡ଼ଗପୁର ଦେଇ ଡାନକୁଦି ପର୍ଯ୍ୟନ୍ତର ଇଷ୍ଟ୍-ୱେଷ୍ଟ୍ କରିଡର୍ ଓ ଇତାର୍ଶୀରୁ ବିଜୟୱାଡା ପର୍ଯ୍ୟନ୍ତ ନର୍ଥ-ସାଉଥ୍ କରିଡର୍ କାର୍ଯ୍ୟ ମଧ୍ୟ ରେଳବାଇ ହାତକୁ ନେବ । ଚଳିତ ବର୍ଷ ୨୬୩ କିମି ବିଶିଷ୍ଟ ସୋନେଗଡ଼-ଗୋମୋହ ସେକ୍ସନ କାମ ପିପିପି ମୋଡ୍ରେ ଆରମ୍ଭ କରାଯିବ । ଶୀଘ୍ର ଗୋହୋମ-ଡାନ୍କୁଦି ସେକ୍ସନ୍ର ୨୭୪.୩ କିମି କାର୍ଯ୍ୟ ଆରମ୍ଭ କରାଯିବ । ବ୍ରଡ୍ ଗେଜ୍ ରୁଟ୍ର ବିଦ୍ୟୁତ୍କରଣ ୪୬,୦୦୦ ରୁଟ୍ କିଲୋମିଟର୍ରେ ପହଂଚିବ । ୨୦୨୩ ଡିସେମ୍ବର ସୁଦ୍ଧା ଏହି ବିଦ୍ୟୁତ୍କରଣ କାର୍ଯ୍ୟ ଶେଷ ହେବ ।