ନ୍ୟୁଜ୍

ଇଣ୍ଡିଆନ ଅଏଲ ପାରାଦୀପ ରିଫାଇନାରୀରେ ପେଟ୍ରୋକେମିକାଲ୍ କ୍ଷେତ୍ରରେ ୧୩,୮୦୫ କୋଟି ପୁଞ୍ଜିନିବେଶ କରିବ l

ସତ୍ୟଶିଖା ( ପାରାଦୀପ ) ୦୫ .୦୮.୨୦୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତର ବିକାଶ ସ୍ୱପ୍ନକୁ ସାକାର କରିବା ପାଇଁ ଇଣ୍ଡିଆନ ଅଏଲ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ଅନ୍ୟ ଏକ ମାଇଲଖୁଂଟ ସ୍ୱରୂପ ସର୍ବବୃହତ ପ୍ୟୁରିଫାଏଡ ଟେରିପଥାଲିକ୍ ଏସିଡ୍‌(ପିଟିଏ) ପ୍ଲାଂଟ ସ୍ଥାପନା ପାଇଁ ବଡ ପୁଞ୍ଜିନିବେଶକୁ ମଞ୍ଜୁର କରିଛି । ପାରାଦୀପ ଠାରେ ଇଣ୍ଡିଆନ ଅଏଲ ସମନ୍ୱିତ ପାରାଜାଇଲିନ(ପିଏକ୍ସ) ଏବଂ ପିଟିଏ କମ୍ପଲେକ୍ସ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ୧୩ ହଜାର ୮୦୫ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଅନୁମୋଦନ ଦେଇଛି ଇଣ୍ଡିଆନ ଅଏଲ । ଇଣ୍ଡିଆନ ଅଏଲ ଅଧ୍ୟକ୍ଷ ଶ୍ରୀ ଏସ୍ ଏମ୍ ବୈଦ୍ୟ କହିଛନ୍ତି ଯେ ପାରାଦୀପରେ ବାର୍ଷିକ ୩୫୭ କିଲୋ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ନିର୍ମାଣାଧୀନ ଏମଏଇଜି(ମନୋ-ଇଥେନ ଗ୍ଲିକୋଲ) ପ୍ଲାଂଟ୍ ସହିତ ଏହି ପ୍ଲାଂଟ୍ ଭଦ୍ରକ ଠାରେ ହେବାକୁ ଥିବା ଇଣ୍ଡିଆନ ଅଏଲର ବାର୍ଷିକ ୩୦୦ କିଲୋ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଟେକ୍ସଟାଇଲ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଇବ ଏବଂ ସମାନ ଭାବରେ ଏହି ଅଂଚଳର ଧାମରା ସମେତ ଅନ୍ୟାନ୍ୟ ଟେକ୍ସଟାଇଲ ଏବଂ ପଲିଷ୍ଟର ପ୍ରକଳ୍ପକୁ ମଧ୍ୟ ସୁବିଧା ପ୍ରଦାନ କରିବ ।

ଏହି ପୁଞ୍ଜିନିବେଶ ଦ୍ୱାରା ଡାଉନ ଷ୍ଟ୍ରିମ ପ୍ରକଳ୍ପ ଗୁଡିକରେ ଓଡିଶା ସମେତ ସମଗ୍ର ପୂର୍ବ ଭାରତରେ ଔଦ୍ୟୋଗିକତା ଏବଂ ଆତ୍ମନିର୍ଭର ଭାରତ ଓ ମେକ୍‌ ଇନ୍ ଇଣ୍ଡିଆକୁ ମଧ୍ୟ ପ୍ରୋତ୍ସାହନ ଦେବ । ୨୦୨୪ ମସିହା ସୁଦ୍ଧା ଏହି ପିଏକ୍ସ/ପିଟିଏ ପ୍ରକଳ୍ପର ନିର୍ମାଣ କାମ ଶେଷ ହେବ । ଉକ୍ତ ପ୍ରକଳ୍ପରେ ପାରାଜାଇଲିନର ବାର୍ଷିକ ଉତ୍ପାଦନ କ୍ଷମତା ୮ ଲକ୍ଷ ଟନ୍ ରହିବ । ଏହାକୁ ପିଟିଏ ଉତ୍ପାଦନ ପାଇଁ କଂଚାମାଲ ଭାବେ ବ୍ୟବହାର କରାଯିବ । ପିଟିଏର ଉତ୍ପାଦନ କ୍ଷମତା ବାର୍ଷିକ ୧,୨୦,୦୦୦୦ ଟନ୍ ହେବା ଇଣ୍ଡିଆନ ଅଏଲର ଏମଏଇଜି କାରଖାନାର କାମ ପାରାଦୀପରେ ଚାଲୁଥିବା ବେଳେ ୨୦୨୧ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା ରଖାଯାଇଛି ।

ଉଭୟ ପିଟିଏ ଓ ଏମଇଜି ଉପଲବ୍ଧ ହେବା ଫଳରେ ପାରାଦୀପ ଓ ଏହାର ଆଖପାଖ ଅଂଚଳରେ ପଲିଷ୍ଟର ଉତ୍ପାଦନ ବହୁଳ ମାତ୍ରାରେ ହୋଇପାରିବ । ଏଥିସହିତ ପିଏକ୍ସ ଓ ପିଟିଏ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବାର୍ଷିକ ୫୦ ହଜାର ଟନ୍ ଟୋଲୁଇନି ମଧ୍ୟ ଉତ୍ପାଦନ ହେବ ଓ ପାରାଦୀପ ବିଶୋଧନାଗାରର ପେଟ୍ରୋକେମିକାଲ ଇନଟେନସିଟି ଇଣ୍ଡେକ୍ସରେ ବୃଦ୍ଧି ଘଟିବ । ପାରୀଦୀପ ପେଟ୍ରୋରସାୟନ ନିବେଶ ଅଂଚଳରେ ଗଢି ଉଠୁଥିବା କାରଖାନା ଗୁଡିକ ପାଇଁ ଉଭୟ ପିଟିଏ ଓ ଏମଇଜି ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ । ଟେକ୍ସଟାଇଲ ଏବଂ ବୟନ ଶିଳ୍ପ ପାଇଁ ଓଡିଶାରେ ଅମାପ ବୈଷୟିକ କୁଶଳି, ଅର୍ଦ୍ଧକୁଶଳୀ ମାନବ ସମ୍ବଳ ଅଛି । ଗୁଜୁରାଟର ସୁରଟ ଟେକ୍ସଟାଇଲ ଶିଳ୍ପରେ ଓଡିଶାର ପ୍ରାୟ ୧୦ ଲକ୍ଷ କୁଶଳୀ ମାନବ ଶକ୍ତି ନିୟୋଜିତ ହୋଇଛନ୍ତି । ଓଡିଶାରେ ଟେକ୍ସଟାଇଲ କ୍ଲଷ୍ଟର ବିକାଶ ହେଲେ ରାଜ୍ୟରେ ଟେକ୍ସଟାଇଲ ଶିଳ୍ପରେ ପୁଞ୍ଜି ନିବେଶରେ ଅବିବୃଦ୍ଧି ଘଟିବ ଏବଂ ବହୁସଂଖ୍ୟକ ଓଡିଆମାନେ ନିଯୁକ୍ତି ପାଇବା ଦ୍ୱାରା ଓଡିଶା ଅଧିକ ଲାଭବାନ ହେବ ।

ପିଏକ୍ସ ଓ ପିଟିଏ ପ୍ରକଳ୍ପ ନିର୍ମାଣ ଫଳରେ ୩ ବର୍ଷ ମଧ୍ୟରେ ଏଠାରେ ୫ ନିୟୁତ ଶ୍ରମ ଦିବସର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ସମେତ ୨୦୦୦ରୁ ଅଧିକ କୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ ବ୍ୟକ୍ତିଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଦେଶ ନିର୍ମାଣ ଏବଂ ପୂର୍ବ ଭାରତର ଅବିଭୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଇଣ୍ଡିଆନ ଅଏଲ୍ ବିଗତ ୫ ବର୍ଷ ମଧ୍ୟରେ ଓଡିଶାରେ ରିଫାଇନାରୀ, ପାଇପଲାଇନ, ମାର୍କେଟିଂ ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ୪୧ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଛି । ଏହାସହ ଓଡିଶାର ପେଟ୍ରୋକେମିକାଲ କ୍ଷେତ୍ରର ବିକାଶ କରିବା ପାଇଁ ମଧ୍ୟ ଇଣ୍ଡିଆନ କଟିବଦ୍ଧ । କାରଣ ଓଡିଶା ରାଜ୍ୟ ପୂର୍ବ ଭାରତକୁ ଗୋଟିଏ ବିଶ୍ୱସ୍ତରୀୟ ପେଟ୍ରୋକେମିକାଲ ହବରେ ପରିଣତ କରିବାର କ୍ଷମତା ରଖିଛି । ଇଣ୍ଡିଆନ ଅଏଲ ଓଡିଶାରେ ପେଟ୍ରୋକେମିକାଲ ଶିଳ୍ପର ବିକାଶ କରିବାର ଯୋଜନା କରିଛି ।

Show More
Back to top button