

ସତ୍ୟଶିଖା (ନରସିଂହପୁର) ୧୫.୧୨.୨୦୨୦ : ଶାରୀରକ ସମ୍ପର୍କ ରଖ । ନହେଲେ ଭାଇରାଲ କରିଦେବି ଭିଡିଓ । ଏହା ହେଉଛି ଜଣେ ମହିଳାଙ୍କୁ ତାଙ୍କ ଦିଅରଙ୍କ ଧମକ । କଟକ ଜିଲ୍ଲା ନରସିଂହପୁରକ ଜଣେ ସମ୍ପର୍କୀୟ ଭାଉଜଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।
ଗିରଫ ଅଭିଯୁକ୍ତ ହେଲେ ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ଗ୍ରାମର ଅଶୋକ କୁମାର ମଲ୍ଲିକ (୨୫) । ବାରମ୍ବାର ଦିଅରର ଧମକରେ ଅତିଷ୍ଠ ହୋଇ ମହିଳାଜଣଙ୍କ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।
ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଅଜାଣତରେ ସଂପର୍କୀୟ ଦିଅର ଅଶୋକ ତାଙ୍କର ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିଥିଲେ । ଏପରିକି ତାଙ୍କୁ ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲା । କଥା ନମାନି ଶାରୀରିକ ସଂପର୍କ ନ ରଖିଲେ ଅଶ୍ଲୀଳ ଭିଡିଓ ଭାଇରାଲ୍ କରିଦେବା ପାଇଁ ଧମକ ଦେଉଥିଲେ ।
ଏପରିକି ମହିଳାଜଣଙ୍କ ଶାରୀରିକ ସମ୍ପର୍କ ପାଇଁ ରାଜି ନ ହେବାରୁ ଯୁବକଜଣଙ୍କ ଭିଡିଓ ଭାଇରାଲ୍ କରିଦେଇଥିଲା । ନରସିଂହପୁର ଥାନାରେ ମହିଳାଜଣଙ୍କ ଏନେଇ ଅଭିଯୋଗ କରିବା ପରେ ଥାନାଧିକାରୀ ବିମଳ କୁମାର ବାରିକ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଏହାସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।