
ସତ୍ୟଶିଖା (ନୂଆଦିଲ୍ଲୀ) ୦୮/୦୧/୨୦୨୧ : ଦକ୍ଷିଣ କୋରିଆର ମୋବାଇଲ୍ କମ୍ପାନୀ ସାମସଙ୍ଗ ତାର ଆଗାମୀ ଗାଲାକ୍ସି ଫ୍ଲାଗସିପ୍ ପାଇଁ ଏବେ ଠାରୁ ଅର୍ଡର ନେବା ଆରମ୍ଭ କରିଛି । କମ୍ପାନୀ ଭାରତୀୟ ଉପଭୋକ୍ତାଙ୍କ ପାଇଁ ୨ ହଜାର ଟଙ୍କିଆ ଟୋକୋନ୍ର ପ୍ରଚଳନ କରିଛି । ଯାହାକୁ ଦେଇ ସେମାନେ ଆଗକୁ ଆସୁଥିବା ସାମ୍ସଙ୍ଗର ଫ୍ଲାଗସିପ୍ ମୋବାଇଲ୍ ବୁକିଂ କରିପାରିବେ ।ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଫ୍ଲାଗ୍ସିପ୍ ପାଇଁ ସାମସଙ୍ଗ ଇଣ୍ଡିଆର ଇ-ଷ୍ଚୋର ଏବଂ ସାମସଙ୍ଗ ସପ୍ ଆପ୍ ଜରିଆରେ ବୁକିଂ କରିହେବ । ଆଗୁଆ ବୁକିଂ କରିଥିବା ଗ୍ରାହାକଙ୍କୁ ଗାଲାକ୍ସି ଭିଆଇପି ପାସ୍ ମିଳିବ ଏବଂ ମୋବାଇଲ୍ କିଣିବା ସମୟରେ ମୂଳ ମୂଲ୍ୟରୁ ୨ ହଜାର ଟଙ୍କା କମ୍ କରିଦିଆଯିବ । ଏଥି ସହିତ ଗାଲାକ୍ସି ଏସ୍-୨୧ର ବୁକିଂ କରିଥିବା ଗ୍ରାହକଙ୍କୁ ୩ ହଜାର ୮ ସହ ୪୯ଟଙ୍କା ମୂଲ୍ୟର କଭର୍ ଫ୍ରିରେ ଦିଆଯିବ । ଏହି ଫ୍ଲାଗସିପ୍ ପାଇଁ ବୁକିଂ ଜାନୁଆରୀ ୧୪ ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ କହିଛି । କମ୍ପାନୀ ଏଥିପାଇଁ ପ୍ରସ୍ତୁତି କରିସାରିଥିବା ପ୍ରକାଶ କରିଛି। କିଛି ଟିଜର୍ ମଧ୍ୟ ଜାରି କରାଯାଇଛି ।
ବିଶେଷ କରି ଗାଲାକ୍ସି ଏସ୍-୨୧ ସିରିଜ୍ର ଫଟୋ ଏବଂ ଫିଚର୍ ଲିକ୍ ହୋଇସାରିଛି । ଯାହାଫଳରେ କି ଏହି ସ୍ମାର୍ଟଫୋନ୍ କିଛି ଖାସ୍ ନେଇ ବଜାରକୁ ଆସିବ ବୋଲି ଅନୁମାନ କରାଯାଉଛି । ଏହାର ଡିଜାଇନ୍ ଏସ୍-୨୦ ଠାରୁ ଅଲଗା ଭଳି ଦେଖାଯାଉଛି । ଏହାର କ୍ୟାମେରା ମୋଡ୍ୟୁଲ୍ ମଧ୍ୟ ଅଲଗା ରହିଛି ଏବଂ ଏଥିରେ ନୂଆ ସେନ୍ସର ଦେଖିବାକୁ ମିଳିବ । ଏଥିରେ Qualcomm Snapdragon 888 ପ୍ରୋସେସର୍ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।