

ସତ୍ୟଶିଖା( ଭୁବନେଶ୍ୱର)୧୩.୦୪.୨୦୨୨ : ନୟାଗଡ଼ ଜିଲ୍ଲାରେ ଦଣ୍ଡ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକ ହେଲେ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡ଼ା। ଆହତମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଆଇଆଇସି ପ୍ରଜ୍ଞା ପରମିତା ଜେନାଙ୍କ ସମେତ ଚାରି ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗାଁରେ ଗତକାଲି ମେରୁ ଯାତ୍ରା ଥିଲା। ପଣାସଂକ୍ରାନ୍ତି ପୂର୍ବ ଦିନ ଏହି ଦୁଇଟି ଗାଁରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥାଏ। ଗତକାଲି ରାତିରେ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗାଁରୁ ଶୋଭାଯାତ୍ରା ବାହାରି ନୟାଗଡ଼ ସହର ପରିକ୍ରମା କରି ସିନ୍ଦୁରିଆ ଶିବମନ୍ଦିରରେ ପହଞ୍ଚିଥିଲା। ସେଠାରେ କୌଣସି କଥାକୁ ନେଇ ଦୁର୍ଗାପ୍ରସାଦଓ ଦେଉଳପଲ୍ଲୀ ଗାଁର ଲୋକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଦୁଇଟି ଗାଁର ଲୋକମାନେ ପରସ୍ପରକୁ ଟେକା ପଥର ମାଡ଼ କରିଥିଲେ। ଏହି ଟେକା ପଥର ମାଡ଼ ଏତେ ଉଗ୍ର ରୂପ ନେଇଥିଲା ଯେ ଦୁଇ ଗାଁର ଲୋକମାନେ ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ।