

ସତ୍ୟଶିଖା(ଭୁବନେଶ୍ୱର )୧୪.୦୯ .୨୦୨୧: ଲଗାଣ ବର୍ଷା କାରଣରୁ ଆଜି ନନ୍ଦନକାନନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି । ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବି ବନ୍ଦ କରିଦିଆଯାଇଛି । ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ କରିବା ନେଇ ନିଷ୍ପତି ନିଆଯାଇଛି । ତେବେ ଲଗାଣ ବର୍ଷା କାରଣରୁ କୌଣସି ଜୀବଜନ୍ତୁଙ୍କର କୌଣସି ପ୍ରକାର ହାନି ହୋଇନାହିଁ । ସେମାନେ ସମସ୍ତେ ସୁରକ୍ଷିତ ରହିଛନ୍ତି । ଏନେଇ ନନ୍ଦନକାନନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଗଭୀର ଅବପାତର ପ୍ରଭାବ ଏବେ ବି ସକ୍ରୀୟ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୪୮ ଘଣ୍ଟାରେ ଛତିଶଗଡ଼, ମଧ୍ୟପ୍ରଦେଶ ମୁହାଁ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ୧୪ ଜିଲ୍ଲା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।