ଆଖିବୁଜିଲେ ସ୍ୱାଧୀନତା ସଂଗ୍ରାମୀ ସାଧାରଣତନ୍ତ୍ର ଦିବସ ପୂର୍ବରୁ


ସତ୍ୟଶିଖା : ୨୫/୦୧/୨୦୨୫ : ଦିନକ ପରେ ପାଳନ ହେବ ୭୬ ତମ ସାଧାରଣତନ୍ତ୍ର ଦିବସ । ହେଲେ ଏହି ପବିତ୍ର ଦିନକୁ ଦେଖିବା ପାଇଁ ଆଉନାହାଁନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ କେଶବ ଚନ୍ଦ୍ର ପାଣିଗ୍ରାହୀ । ୯୮ବର୍ଷ ବୟସରେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ ନରସିଂହପୁର ଗ୍ରାମ ନିଜ ବାସଭବନରେ ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟ ଜନିତ କାରଣ ରୋଗରେ ପୀଡିତ ଥିଲେ।
ବ୍ରିଟିଶ ଶାସନର ବର୍ବରତା ସମୟରେ ତାଙ୍କର ଦେଶ ପାଇଁ ଅବଦାନ ଅତୁଳନୀୟ ଥିଲା । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ଗ୍ରାମର ପୁଅ ହେଉଛନ୍ତି କେଶବ ପାଣିଗ୍ରାହୀ । ସହଧର୍ମିଣୀ ସବୁ କ୍ଷେତ୍ରରେ ତାଙ୍କୁ ପ୍ରେରଣା ଦିଅନ୍ତି । ହେଲେ ତିନିବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ପରେ କେଶବ ଭାଙ୍ଗି ପଡିଥିଲେ । ୪ ପୁଅ, ପୁତ୍ରବଧୁ, ୮ଜଣ ନାତି ନାତୁଣୀ ଅଛନ୍ତି । କେଶବଙ୍କ ଛାତ୍ର ଜୀବନରେ ସଂଗ୍ରାମୀ ମନୋଭାବ ଦେଖା ଦେଇଥିଲା।
ବାମପନ୍ଥୀ ନେତା ବନମାଳୀ ଦାସଙ୍କ ସହିତ ପ୍ରାଣବନ୍ଧୁ ଅଗସ୍ତି,ବଳରାମ ରାଜ,କରୁଣାକର ପାଣିଗ୍ରାହୀ,ଶୈଳେନ୍ ମହାରଣା, ବୈଷ୍ଣବ ପଟ୍ଟନାୟକଙ୍କ ଇଂରେଜ ଓ ରାଜାଙ୍କ ବିରୁଦ୍ଧରେ ମେଳି ବାନ୍ଧିଥିଲେ। ତାଙ୍କରି ନେତୃତ୍ୱରୁ ପ୍ରେରଣା ପାଇ ସେ ଦେଶ ମାତୃକା ପାଇଁ ସ୍ୱାଧିନତା ସଂଗ୍ରାମ ରେ ସାମିଲ ହୋଇଥିଲେ।ସେହି ସମୟରେ ତାଙ୍କର ବୟସ ମାତ୍ର ୧୭ ବର୍ଷ ଥିଲା । ମହାତ୍ମାଗାନ୍ଧୀ ଯେତେବେଳେ ଷ୍ଟେସନରେ ପହଂଚିଯାଉଥିଲେ ସେ ତାଙ୍କୁ ଦେଖାକରିବା ପାଇଁ ଦୌଡ଼ିଯାଉଥିଲେ। ତାଙ୍କଠାରୁ ମଧ୍ୟ ପ୍ରେରଣା ପାଇଥିଲେ।
ଏପରିକି ଇଂରେଜଙ୍କ ବିରୁଦ୍ଧରେ ମେଳି ବାନ୍ଧି ଜେଲ ମଧ୍ୟ ଭୋଗିବାକୁ ପଡିଥିଲା। ଜେଲରେ ସଶ୍ରମ କାରାଦଣ୍ଡ ଭୋଗିବା ବେଳେ ଇଂରେଜ ମାନଙ୍କର ନିର୍ମମ ମାଡ଼ ଓ ଅକଥନୀୟ ନିର୍ଯାତନା ସହିବାକୁ ପଡିଥିଲା ଯାହା ଆଜିବି ତାଙ୍କର ମନେ ରହିଛି । ସେତେବେଳେ ଇଂରେଜ ଶାସନର ବର୍ବରତା ଏତେଥିଲା ଯେ ଘରେ ଝିଅ ବୋହୁ ରହିବାକୁ ଉଚିତ ମଣୁନଥିଲେ। ଗୋଟିଏ ପଟେ ଇଂରେଜ ଆଗୋଟିଏ ପଟେ ନୀଳଗିରି ରାଜାଙ୍କର ଶୋଷଣରେ ନୀଳଗିରିବାସୀ ତ୍ରାହି ତ୍ରାହି ଡାକୁଥିଲେ।
୧୯୪୭ ମସିହାରେ ଦେଶ ସ୍ଵାଧୀନ ପାଇଲା ସତ ହେଲେ ନୀଳଗିରି ରାଜ୍ୟ ଗଣତନ୍ତ୍ରରେ ମିଶିନଥିଲା । ନୀଳଗିରିର ଯୁବଗୋଷ୍ଠୀ ରାଜାଙ୍କ ବିରୁଦ୍ଧରେ ମେଳିବାନ୍ଧି ବିଦ୍ରୋହ କରିଥିଲେ । ସେଥିରେ ମଧ୍ୟ କେଶବ ପାଣିଗ୍ରାହୀ ସାମିଲ ହୋଇଥିଲେ । ଶେଷରେ ପ୍ରଜାମେଳି ଆନ୍ଦୋଳନ ପରେ ସରକାର ଚାପର ବଶବର୍ତ୍ତି ହୋଇ ନୀଳଗିରିକୁ ଗଣତନ୍ତ୍ରରେ ମିଶାଇବା ପୂର୍ବରୁ ତତ୍କାଳୀନ ନୀଳଗିରି ରାଜା ନୀଳଗିରି ଗଡ଼ଜାତକୁ କିଛି ସର୍ତ୍ତମୂଳକ ଭାବେ ଗଣତନ୍ତ୍ରରେ ସାମିଲ ହେବାକୁ ବାଧ୍ୟ କରିଥିଲେ।
ପରେ ପରେ ଦେଶରେ ଥିବା ସମସ୍ତ ରାଜାଙ୍କ ଅଧୀନରେ ଥିବା ରାଜ୍ୟ ସରକାରଙ୍କ ଠାରେ ମିଶିଯାଇଥିଲା।କେଶବ ପାଣିଗ୍ରାହୀ ଏକତା ହିଁ ସଫଳତାର ଶ୍ରେୟ ଆଜିର ଯୁବପିଢିଙ୍କ ଠାରେ ସେଭଳି କିଛି ଦେଖିବାକୁ ମିଳୁନି ବୋଲି କହି ଆସିବା ସହ ଯୁବ ପିଢିଙ୍କୁ ପ୍ରେରଣା ଯୋଗାଈ ଆସୁଥିଲେ ।