

ସତ୍ୟଶିଖା ( ନୂଆପଡା ) ୦୪ /୦୯ /୨୦୨୧: ନୂଆପଡା ଜିଲ୍ଲାରେ ଚଳିତ ବର୍ଷ ମରୁଡିର କରାଳ ରୁପ । ଆରମ୍ଭରୁ ଭଲ ବର୍ଷା ହେବା ପରେ ଲୋକେ ଚାଷ କାମ ଆରମ୍ଭ କରି ଦେଇଥିଲେ । କିନ୍ତୁ ଏବେ ଟାଇଁ ଟାଇଁ ଖରାରେ ଜମି ଫାଟି ଆଁ କଲାଣି । ବର୍ଷା ଅଭାବରୁ ଚାଷ ନଷ୍ଟ ହୋଇ ଗଲାଣି । ଏଭଳି ପରିସ୍ଥିତିରେ ମଧ୍ୟ ରାଜ୍ୟ ସରକାର ନୂଆପଡା ଜିଲ୍ଲାକୁ ମରୁଡି ପ୍ରଭାବିତ ଘୋଷଣା କରି ନଥିବା ବିଜେପି ଅଭିଯୋଗ କରିଛି ।
ବିଜେପିର ଏକ ପାଞ୍ଚ ଜଣିଆ ଟିମ୍ ମରୁଡି ଅଞ୍ଚଳ ଗସ୍ତ କରି ଉଚିତ ପଦକ୍ଷେପ ନେବାକୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଦାବି କରିଛନ୍ତି । ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ କନ୍ଧମାଳ,ବୌଦ୍ଧ,ସୋନପୂର,ବଲାଙ୍ଗିର ପରେ କଳାହାଣ୍ଡି ଲୋକସଭା ଅଞ୍ଚଳ ପରିଦର୍ଶନ କରିଥିଲା ଟିମ୍ । ଏବେ ବିଜେପି ଟିମ୍ ନୂଆପଡାର ସିନାପାଲି,ଖଡିଆଳ,କୋମନା ବ୍ଲକର ବିଭିନ୍ନ ଗାଁକୁ ଯାଇ ଧାନ ବିଲରେ ବୁଲିବା ସହ ଚାଷୀଙ୍କ ସହ ଆଲୋଚନା କରିଛି ।
ଏହାପରେ ନୂଆପଡାଠାରେ ଚାଷୀଙ୍କୁ ନେଇ ବୈଠକ କରିଛି ଦଳ । ଜିଲ୍ଲାରେ ଭୟାବହ ମରୁଡି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଜିଲ୍ଲାକୁ ମରୁଡି ପ୍ରଭାବିତ ଘୋଷଣା କରନ୍ତୁ ବୋଲି ଦଳ ଦାବି କରିଛି ।