ସତ୍ୟଶିଖା(ଭୁବନେଶ୍ୱର) ୦୯ .୦୫.୨୦୨୧: ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଗତ ୪ ଦିନରେ ପେଟ୍ରୋଲ ଲିଟର ପିଛା ୯୨ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୧ ଟଙ୍କା ୧୩ ପଇସା ବୃଦ୍ଧି ପାଇଛି। ଏହାକୁ ବିଜେଡି ବିରୋଧ କରିଛି।
ବିଜେଡି ମୁଖ୍ୟାଳୟର ସାଧାରଣ ସଂପାଦକ ସଂଜୟ ଦାସବର୍ମା ପ୍ରେସ ରିଲିଜ ଜାରି କହିଛନ୍ତି କେନ୍ଦ୍ର ସରକାର ତୁରନ୍ତ ତେଲ ଦର ହ୍ରାସ କରନ୍ତୁ। ନଚେତ ବିଜେପି ସରକାରଙ୍କ ଦୋମୁହାଁ ନୀତିର କଡ଼ା ଜବାବ ଦିଆଯିବ। ମହାମାରୀ କରୋନା ପାଇଁ ଦେଶବାସୀ କଲବଲ ହେଉଛନ୍ତି। ସେ କହିଛନ୍ତି ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି। ପ୍ରତିଦିନ ୪ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୪ହଜାର ଲୋକ ପ୍ରାଣ ହରାଉଛନ୍ତି । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ବହୁ ରାଜ୍ୟରେ ଶଟଡାଉନ୍ ଓ ଲକଡାଉନ୍ ଆଦି କଟକଣା ଜାରି ହୋଇଛି। ଏଥିପାଇଁ ଦୋକାନ,ବଜାର ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ପୂର୍ବପେକ୍ଷା କମ୍ ରହିଛି। କରୋନା ମହାମାରୀ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ତୈଳଦର ବୋଝ ଉପରେ ନଳିତା ବିଡ଼ା ସାଜିଛି।