କେନ୍ଦ୍ରାପଡ଼ା ଗଣଦୁଷ୍କର୍ମକାରୀଙ୍କ ସୁରକ୍ଷାରେ ବିଜେଡି !


ସତ୍ୟଶିଖା (ଭୁବନେଶ୍ୱର )୦୨.୧୧.୨୦୨୩ : କେନ୍ଦ୍ରାପଡା କୁଦାନଗରୀ ନାବାଳିକା କଲେଜ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ ଅଭିଯୋଗ କରିଛନ୍ତି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ବିଜେଡି । କଲେଜ ଅଧ୍ୟାପକ ରମାକାନ୍ତ ପାଣି ପୀଡ଼ିତାଙ୍କ ପରିବାରକୁ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା । ରମାକାନ୍ତଙ୍କ ସହ ଦେଖିବାକୁ ମିଳିଛି ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଫଟୋ । କୁଦାନଗରୀ କଲେଜରେ ହାରାସମେଣ୍ଟ ସେଲ ନଥିବା ଯାଞ୍ଚ ବେଳେ ଜାଣିବାକୁ ପାଇଛି ବିଜେପି ଟିମ୍ । ସେହିପରି ଗିରଫ ଦୁଷ୍କର୍ମ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ହେଉଛି ମନ୍ତ୍ରୀ ରାଜା ସ୍ଵାଇଁଙ୍କ ଖାସ୍ । ତେଣୁ ରଣେନ୍ଦ୍ର ପ୍ରତାପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ଏହି ମାମଲାରେ ଜାତୀୟ ମହିଳା କମିଶନଙ୍କ ନିକଟରେ ବିଜେପି ଫେରାଦ ବୋଲି କହିଛନ୍ତି ଐଶ୍ବର୍ଯ୍ୟା । ଅନ୍ୟ ପକ୍ଷରେ ଏ ଘଟଣାରେ ବ୍ୟାକଫୁଟ୍ ରେ ଥିବା ବିଜେଡି କହିଛି ଆଇନରୁ ଉର୍ଦ୍ଧ୍ବରେ କେହି ନୁହନ୍ତି ।
ସେପଟେ କଟକର ଯେଉଁ ଓୟୋ ହୋଟେଲରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ସେ ହୋଟେଲ ମାଲିକଙ୍କୁ ଏଯାଏ ଗିରଫ କରାଯାଇନଥିବା ବେଳେ ହୋଟେଲକୁ ସିଲ ବି କରାଯାଇନି । ୧୦ ଦିନ ପରେ ବି ପୂରା ଘଟଣା ଉପରୁ ପରଦା ହଟାଇବାରେ ବିଫଳ ହୋଇଛି ପୋଲିସ । ଘଟଣା ପରଠାରୁ କଲେଜକୁ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଆସୁନଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦାବି କରିଛନ୍ତି କେତେକ କଲେଜ ଛାତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ । ପୀଡିତାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଅପରାଧୀଙ୍କୁ ସୁରକ୍ଷା ଯୋଗୁଁ ରାଜ୍ୟରେ ମହିଳା ବିରୋଧୀ ହିଂସରେ ଦଣ୍ଡବିଧାନ ହାର ଲଗାତାର କମି ଚାଲିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର ୫.୭ ପ୍ରତିଶତ । ଯାହାକି ସାରା ଦେଶର ଦ୍ବିତୀୟ ସର୍ବନିମ୍ନ । କଥା କଥାକେ ମହିଳା ସମ୍ମାନର ସ୍ଲୋଗାନ ଦେଉଥିବା ବିଜେଡି ସରକାର ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାରେ କାହିଁକି ଦେଉଛନ୍ତି ପଛଘୁଞ୍ଚା ? କେବେ ନିଆଯିବ ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ? ଅଧ୍ୟାପକ ରମାକାନ୍ତ ପାଣିଙ୍କୁ ତଦନ୍ତ ପରିସରଭୁକ୍ତ କରିବକି ପୋଲିସ । ନା ଶାସଦ ଦଳର ଚାପରେ ବାଟବଣା ହେବ ତଦନ୍ତ ?