

ସତ୍ୟଶିଖା(ଭୁବନେଶ୍ୱର) ୦୮ .୦୭.୨୦୨୧: ୧୯୬୫ ମାର୍ଚ୍ଚ ୨୮ ତାରିଖରେ ମୋରଡ଼ା ବ୍ଲକ ସାନମୁଣ୍ଢାବଣି ପଞ୍ଚାୟତ ଖୁଣ୍ଟାପାଳ ଉଚ୍ଚାଖାଇ ଗାଁରେ ଜନ୍ମଲାଭ କରିଥିଲେ ବିଶ୍ୱେଶ୍ୱର । ପିଲା ଦିନରୁ ମେଧାବୀ ଥିବା ବିଶ୍ୱେଶ୍ୱର ଖୁଣ୍ଟାପାଳ ସ୍କୁଲରୁ ପ୍ରାଥମିକ ଶିକ୍ଷା ପରେ ଗାଁ ପାଖ ପାରେଶ୍ୱର ବିଦ୍ୟାପୀଠରୁ ୧୯୮୧ରେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ । ଏହାପରେ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଉରକେଲାସ୍ଥିତ ସରକାରୀ ପଲିଟେକନିକରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା ପାସ କରିଥିଲେ । ୧୯୮୫ରେ ଶିକ୍ଷା ସମାପ୍ତି ପରେ ଅବିଭକ୍ତ ଢେଙ୍କାନାଳ (ଏବେ ଅନୁଗୁଳ) ଜିଲ୍ଲାରେ ଥିବା ରେଙ୍ଗାଳି ଡ୍ୟାମ ପ୍ରୋଜେକ୍ଟରେ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଗତ ୩ ଦଶନ୍ଧି ଧରି ସେ ବନବାସୀ କଲ୍ୟାଣ ବିଦ୍ୟାଳୟ ସହ ଜଡ଼ିତ ରହିଛନ୍ତି ।୨୦୧୨ରେ ସାନମୁଣ୍ଢାବଣି ପଞ୍ଚାୟତର ସମିତି ସଭ୍ୟ ଆସନ ପାଇଁ ଲଢେ଼ଇ କରି ପରାଜିତ ହୋଇଥିଲେ ବିଶ୍ୱେଶ୍ୱର । ତେବେ ୨୦୧୯ରେ ହଠାତ ତାଙ୍କୁ ଲୋକସଭା ଟିକେଟ ଦେଇ ଚମକାଇ ଦେଇଥିଲା ବିଜେପି । ୨୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବାଜି ମାରି ନେଇଥିଲେ ବିଶ୍ୱେଶ୍ୱର । ସାଂସଦ ହେବା ପରଠାରୁ ତାଙ୍କୁ ବିଜେପିର ରାଷ୍ଟ୍ରୀୟ ସମ୍ପାଦକ, ରାଜ୍ୟ ବିଜେପି ଏସଟି ମୋର୍ଚ୍ଚାର ସଭାପତି ଓ ମଧ୍ୟପ୍ରଦେଶର ସହ ପ୍ରଭାରୀ ଭାବେ ବିଜେପି ବିଭିନ୍ନ ଦାୟିତ୍ୱ ଦେଇଥିଲା ।