
ସତ୍ୟଶିଖା (ନୂଆଦିଲ୍ଲୀ) ୩୧/୧୨/୨୦୨୦ : ୨୦୨୦ରେ ବିରିୟାନୀ ରେକର୍ଡ । କରୋନା କାଳରେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ସାଉଁଟିଛି ବିରିୟାନୀ । ସବୁଠୁ ଅଧିକ ଅର୍ଡର କରାଯାଇଥିବା ଖାଦ୍ୟ ମଧ୍ୟରେ ଶୀର୍ଷ ସ୍ଥାନ ଅକ୍ତିଆର କରିଛି ବିରିୟାନୀ । ପ୍ରତି ମିନିଟ୍ରେ ଅନଲାଇନ୍ ଫୁଡ୍ ଡେଲିଭରି ସଂସ୍ଥା ‘ଜୋମାଟୋ’ ୨୨ ବିରିୟାନୀ ଡେଲିଭର କରିଛି । କେବଳ ଯେ ଚିକେନ୍ କିମ୍ବା ମଟନ୍ ବିରିୟାନୀ ଚାହିଦା ବଢ଼ିଛି ତାହା ନୁହେଁ ୨୦୨୦ରେ ଦେଶରେ ପାଖାପଖି ୧୯.୮ ଲକ୍ଷ ଭେଜିଟେବଲ୍ ବିରିୟାନୀ ଅର୍ଡର କରାଯାଇଥିବା ‘ଜୋମାଟୋ ’ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପିଜାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଜୁନ୍ ୨୦୨୦ ବେଳକୁ ‘ଜୋମାଟୋ’ ୪.୫ ପିଜା ଅର୍ଡର ପାଇଥିବା ବେଳେ ନଭେମ୍ବର ବେଳେକୁ ଅର୍ଡର ସଂଖ୍ୟା ୧୭ ଲକ୍ଷରେ ପହଞ୍ଚିଥିଲା । ଏହାସହ କେବଳ ଦିଲ୍ଲୀ, ମୁମ୍ବାଇ, ପୁନେ ଓ ବେଙ୍ଗାଲୁରୁରେ ମୋମୋସ୍ ପାଇଁ ୨୫ ଲକ୍ଷ ଅର୍ଡର କେବଳ ଜୋମାଟୋକୁ ମିଳିଥିଲା ।ଜୋମାଟୋ ପକ୍ଷରୁ ମିଳିଥିବା ଡାଟା ଅନୁସାରେ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ୟଶ ୨୦୨୦ରେ ୧୩୮୦ ଅର୍ଡର କରିଥିଲେ । ଏହାର ଅର୍ଥ ପ୍ରତିଦିନ ୪ଟି ଅର୍ଡର କରୁଥିଲେ । ଚଳିତ ବର୍ଷ ସବୁଠୁ ବଡ ଅର୍ଡର ୧,୯୯,୯୫୦ ଟଙ୍କାର ହୋଇଥିବା ବେଳେ ସବୁଠୁ କମ୍ ଥିଲା ୧୦ ଟଙ୍କା । ଅନ୍ୟପଟେ ଦୀପାବଳି ସମୟରେ ସବୁଠୁ ଲୋକପ୍ରିୟ ଡେଜର୍ଟ ମଧ୍ୟରେ ଲୋକେ ଗୋଲାପ ଜାମୁନକୁ ପସନ୍ଦ କରିଥିଲେ । ଏହି ସମୟରେ ଏକ ଲକ୍ଷ ଗୋଲାପ ଜାମୁନ ଅର୍ଡର କେବଳ ଜୋମାଟୋକୁ ମିଳିଥିଲା । ସେହିଭଳି ଅର୍ଡର କରିବା ମାମଲାରେ ଦାର୍ଜିଲିଂ ସମସ୍ତ ମେଟ୍ରୋ ସହରକୁ ପଛରେ ପକାଇଛି । ଏହି ସମହରରେ ହୋଇଥିବା ପ୍ରତି ଅର୍ଡର ୫୦୦ ଟଙ୍କା ଉପରେ ଥିଲା । ମୁମ୍ବାଇ ସହରର ଲୋକେ ଜୋମାଟୋ ଡେଲିଭରି ବୟଙ୍କୁ ୨୦୨୦ରେ ଅଧିକ ଟିପ୍ସ ଦେଇଛନ୍ତି । କେବଳ ମୁମ୍ବାଇ ଡେଲିଭରି ସହଯୋଗୀ ୪.୬ କୋଟି ଟିପ୍ସ ପାଇଥିବା ଜୋମାଟୋର ଅଧିକାରୀ ସୂଚନା ଦେଇଛନ୍ତି । ମୁମ୍ବାଇ ପରେ ପରେ ଗୋଆର ଲୋକେ ଟିପ୍ସ ଅଧିକ ଦେଇଛନ୍ତି ।