

ସତ୍ୟଶିଖା( ଭୁବନେଶ୍ୱର )୨୮.୦୬. ୨୦୨୨ :୨୦୨୧ରେ ନବରଙ୍ଗପୁର ଉମରକୋଟରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହେବା ଘଟଣାରେ ଜାତୀୟ ମାନବିକ ଅଧିକାର କମିସନ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର ଦାୟୀ ହୋଇଥିବାରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ କାହିଁକି ଦିଆନଯିବ ବୋଲି ତାର ଉତ୍ତର ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।
ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଦ୍ୱାରା ଏହି ମାମଲା ରୁଜୁ ହୋଇଥିଲା। ପୂର୍ବରୁ ମଧ୍ୟ ଏନେଇ ଜିଲ୍ଲାପାଳଙ୍କୁ ନୋଟିସ ଜାରି ହୋଇଥିଲା। ନିମ୍ନମାନର କାମ ଓ ଶ୍ରମିକମାନଙ୍କ ପାଇଁ ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ଘଟିଥିବା ଅଖଣ୍ଡ ଅଭିଯୋଗ କରିଥିଲେ। ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ଅବହେଳାକୁ ସ୍ୱୀକାର କରାଯାଇଛି। ଏହି ରିପୋର୍ଟ ପରେ ଏନଏଚଆରସି ଏଭଳି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସେହିପରି ମୃତକଙ୍କ ପରିବାରର ଥଇଥାନ ଲାଗି ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ମଧ୍ୟ କମିସନ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି।
ସୂଚନାଯୋଗ୍ୟ, ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ର ଗିରଫ ହୋଇଥିଲେ। ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ ଠିକାଦାର ଆଶିଷ କୁମାର ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ନିରଂଜନ ସାହୁ, ସହକାରୀ ଯନ୍ତ୍ରୀ ଆଶିଷ କୁମାର ପାତ୍ରଙ୍କ ନାମରେ ଉମରକୋଟ ଥାନାରେ ଏତଲା ଦେଇଥିଲେ।