

ସତ୍ୟଶିଖା(ୱାସିଂଟନ ) ୧୭.୦୮ .୨୦୨୧: ଆଫଗାନିସ୍ତାନରେ ଲାଗିରହିଥିବା ସଙ୍କଟକୁ ନେଇ ଆମେରିକାକୁ ସମ୍ବୋଧନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏଭଳି କଠିନ ପରିସ୍ଥିତିରେ ବିଦାୟୀ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ଚାଲିଯିବା ଉପରେ ସେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି ଏହା ଅତି ନିନ୍ଦନୀୟ । ଲଢିବା ପରିବର୍ତ୍ତେ ଦେଶ ଛାଡି ସେ କାହିଁକି ଚାଲିଗଲେ ବୋଲି ତାଙ୍କୁ ପ୍ରଶ୍ନ ପଚାରିବା ଦରକାର ।
“ଗଣତନ୍ତ୍ର ପ୍ରତିଷ୍ଠା ଉଦ୍ଦେଶ୍ୟ ନେଇ ଆମେ ୨୦ ବର୍ଷ ପୂର୍ବେ ଆଫଗାନିସ୍ତାନରେ ପ୍ରବେଶ କରି ନ ଥିଲୁ। ବରଂ ଆମେରିକାରେ ପୁନର୍ବାର ଯେପରି ୯/୧୧ ପରି ଭୟଙ୍କର ଆକ୍ରମଣ ନ ହୁଏ ତାହା ଆମର ଲକ୍ଷ୍ୟ ଥିଲା । ୧୦ ବର୍ଷ ତଳୁ ଆମେ ଆମର ଲକ୍ଷ୍ୟ ପୂରଣ କରିସାରିଛୁ । ଏବେ ଆମେ ନିଜ ସୈନ୍ୟଙ୍କୁ ସେଠାରେ ମରିବାକୁ ଛାଡ଼ିପାରିବୁ ନାହିଁ। ”
ଏହାସହ ବାଇଡେନ କହିଛନ୍ତି ଆଫଗାନିସ୍ତାନରେ ସ୍ଥିତି ଆକଷ୍ମିକ ଭାବରେ ବଦଳିଛି । ସେଠାରୁ ସୈନ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ସେ ସଠିକ ନିଷ୍ପତ୍ତି ବୋଲି କହିଛନ୍ତି । ଆମ ସେନା ଲଗାତାର ସେଠାରେ ଲଢେଇ କରିପାରିବ ନାହିଁ । ଏହାକୁ ନେଇ ମୁଁ ପୂର୍ବରୁ ସ୍ପଷ୍ଟ କରିଛି ଯେ, ଆମ ବିଦେଶ ନୀତି ମାନବାଧିକାର ଉପରେ କେନ୍ଦ୍ରିତ ରହିଛି । ଆଫଗାନିସ୍ତାନର ନେତାମାନେ ସେଠାକାର ଲୋକଙ୍କ ସୁରକ୍ଷା ପାଇଁ ଏକତ୍ର ହେବାରେ ବିଫଳ ହୋଇଛନ୍ତି । ନିଜର ଭବିଷ୍ୟତ ପାଇଁ ମିଳିତ ଭାବେ କାମ କରିପାରି ନାହାନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଆମେରିକା ରାଷ୍ଟ୍ରପତି ଏବଂ ଆପଣ ମାନଙ୍କୁ ଭ୍ରମିତ କରିବି ନାହିଁ । ମୋ ଛଡା ଅନ୍ୟ କୌଣସି ରାଷ୍ଟ୍ରପତି ଯଦି ମୋ ସ୍ଥାନରେ ଥାଆନ୍ତେ ସେ ମଧ୍ୟ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହର କରିଥାଆନ୍ତେ । ଆମେରିକାର ସେନାର ଅନେକ ପରିବାର ଆଫଗାନିସ୍ତାନରେ ବସବାସ କରନ୍ତି । ସବୁବେଳେ ଆମେ ଆମ ସେନାଙ୍କ ଜୀବନକୁ ବାଜିରେ ଲଗାଇପାରିବୁ ନାହିଁ । ଲୋକମାନେ କହୁଛନ୍ତି ଯେ ଆମେ ଆଫଗାନିସ୍ତାନକୁ ଆଧା ବାଟରେ ଛାଡି ଦେଇଛୁ । କିନ୍ତୁ ମୁଁ ସବୁବେଳେ ଠିକ ନିଷ୍ପତ୍ତି ନେବାକୁ ଚେଷ୍ଟା କରିଛି ବୋଲି କହିଛନ୍ତି ବାଇଡେନ ।