ଇତିହାସ ରଚୁଛି ଭୁବନେଶ୍ୱର ଏମ୍ସ ବର୍ଣ୍ଣ ସେଣ୍ଟର

ଇତିହାସ ରଚୁଛି ଭୁବନେଶ୍ବର ଏମ୍ସ
ଅନ୍ୟ ଜଣଙ୍କ ଚର୍ମ ଦେଲା ନୂଆ ଜୀବନ
ଆଶା ଛାଡ଼ିଦେଇଥିଲେ ପରିବାର
ଡାକ୍ତର କହିଥିଲେ ବଞ୍ଚେଇପାରିବୁନି

ସତ୍ୟଶିଖା (ଭୁବନେଶ୍ୱର) ୦୯,୧୧,୨୦୨୩ :
ଆଲୋଗ୍ରାଫ୍ଟ ଚିକିତ୍ସା ପଦ୍ଧତିରେ ନୂଆ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ
ସଫଳତାର କହାଣୀ ସୃଷ୍ଟି କରୁଛି ପୂର୍ବ ଭାରତ ପ୍ରଥମ ବର୍ଣ୍ଣ ସେଣ୍ଟର । ଭୁବନେଶ୍ବର ଏମ୍ସ  ଚିକିତ୍ସାର ପଦ୍ଧତିକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା । ଆଲୋଗ୍ରାଫ୍ଟ ଚିକିତ୍ସା ଜରିଆରେ ଦୁଇ କୋମଳମତି ଶିଶୁ ପାଇଲେ ପାଇଲେ ନୂଆ ଜୀବନ । ନିକଟରେ ବିଦ୍ୟୁତ ଆଘାତରେ ଶରୀରର ୭୦ ଭାଗ ପୋଡ଼ି ହୋଇଯାଇଥିବା ଦୁଇ କୋମଳମତି ଶିଶୁଙ୍କୁ ଏହି ଚିକିତ୍ସା ପଦ୍ଧତିରେ ନୂଆ ଜୀବନ ଦେଇଛି ଏମ୍ସ ଭୁବନେଶ୍ୱର ।

ଭୁବନେଶ୍ୱର କେଶୁରାର ୬ ବର୍ଷିୟା ଶ୍ରାବଣୀ ମଲ୍ଲିକ । ଜୁନ୍ ୯ରେ ଛାତ ଉପରେ ଖେଳୁଥିବା ବେଳେ ବିଦ୍ୟୁତ୍ ଖୁଣ୍ଟରେ ହାତ ଲାଗିଯିବାରୁ ଦୁଇ ହାତ ସହ ପୂରା ପେଟ ପୋଡ଼ିଯାଇଥିଲା । ପରିବାର ଲୋକେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ କଟକ ବଡ଼ ମେଡିକାଲ ଯାଇ ନିରାଶ ହୋଇଥିଲେ । ଡାକ୍ତର କହିଲେ ଉଭୟ ହାତ କାଟିଲେ ବି ଝିଅକୁ ବଞ୍ଚେଇବା ଅସମ୍ଭବ । ଶେଷ ଆଶା ନେଇ ପହଞ୍ଚିଥିଲେ ଏମ୍ସ ଭୁବନେଶ୍ୱରର ବର୍ଣ୍ଣ ସେଣ୍ଟରରେ । ଅନ୍ୟଜଣେ ହେଲେ ପୁରୀର ୭ ବର୍ଷୀୟ ସୂର୍ଯ୍ୟକାନ୍ତ । ବିଜୁଳି ସଂସ୍ପର୍ଶରେ ଆସିବା ପରେ ମୁହଁକୁ ଛାଡ଼ି ପୂରା ଶରୀର ଜଳିଯାଇଥିଲା । ପୁରୀ ବଡ଼ ମେଡିକାଲ ଡାକ୍ତର ହାତ ଟେକି ଦେବାପରେ ଭଗବାନଙ୍କୁ ଭରସା ରଖି ଏମ୍ସ ଆସିଥିଲେ ପରିବାର ଲୋକ ।

ଦୁଇ ଶିଶୁଙ୍କୁ ବଞ୍ଚାଇବା ଲାଗି ସ୍କିନ୍ ଆଲୋଗ୍ରାଫ୍ଟ ଏକମାତ୍ର ବିକଳ୍ପ ଥିଲା ବୋଲି କହିଥିଲେ ଏମ୍ସର ଡ଼ାକ୍ତର । କିନ୍ତୁ ଭୁବନେଶ୍ୱର ଏମସରେ ସ୍କିନ୍ ବ୍ୟାଙ୍କ ନଥିବାରୁ ଏ ଆଶା ବି ଫିକା ପଡ଼ିଥିଲା । କିନ୍ତୁ ସୌଭାଗ୍ୟର କଥା ସେହି ସମୟରେ ଅନ୍ୟ ଜଣେ ରୋଗୀର ଚିକିତ୍ସା ଲାଗି ମୁମ୍ବାଇରୁ ଆସିଥିଲା ଏକ ସ୍କିନ୍ । ସଂପୃକ୍ତ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କ ପରିବାର ଲୋକେ ଏହି ସ୍କିନକୁ ବର୍ଣ୍ଣ ସେଣ୍ଟରକୁ ଦାନ କରିଦେଇଥିଲେ । ଯାହାକି ଉଭୟ ଶିଶୁଙ୍କ ଜୀବନ ବଞ୍ଚାଇବାରେ ନେଇଥିଲା ପ୍ରମୁଖ ଭୂମିକା ।

ଯଦିଓ ଶ୍ରାବଣୀଙ୍କ ଦୁଇହାତ କାଟିବାକୁ ପଡିଥିଲା ଏବେ ଉଭୟ ଶିଶୁ ସୁସ୍ଥ ହୋଇଗଲେଣି ବୋଲି କହିଛନ୍ତି ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ପୂର୍ବରୁ ଏମ୍ସରେ କେବଳ ଅଟୋଗ୍ରାଫ୍ଟ ବା ରୋଗୀର ନିଜ ଶରୀରରୁ ସ୍କିନ ନେଇ ସଫଳ ଚର୍ମ ପ୍ରତ୍ୟାରୋପଣ କରାଯାଉଥିଲା । ଡାକ୍ତରୀ ଟିମର ପ୍ରଚେଷ୍ଟା ଯୋଗୁ ପ୍ରଥମ ଥର ଲାଗି ଆଲୋଗ୍ରାଫ୍ଟ ଜରିଆରେ ଦୁଇ ରୋଗୀଙ୍କୁ ନୂଆ ଜୀବନ ଦିଆଯାଇପାରିଛି ।

Exit mobile version