ଘୁଙ୍ଗୁଡି ମାରୁଥିଲେ ସାବଧାନ ! କରୋନା ଜନିତ ମୃତ୍ୟୁ ସମ୍ଭାବନା ଅଧିକ l


ସତ୍ୟଶିଖା ( ଲଣ୍ଡନ ) ୧୭ .୦୯.୨୦୨୦ : ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଘୁଙ୍ଗୁଡି ମାରୁଥିବା ବ୍ୟକ୍ତି କରୋନା ଦ୍ୱାରା ସଂକ୍ରମିତ ହେଲେ ତାଙ୍କର ମୃତ୍ୟୁ ସମ୍ଭାବନା ଅଧିକ ହୋଇଥାଏ । ଅନ୍ୟ ରୋଗୀଙ୍କ ତୁଳନାରେ ଏଭଳି ବ୍ୟକ୍ତିଙ୍କ ମୃତ୍ୟୁ ସମ୍ଭାବନା ତିନି ଗୁଣ ଅଧିକ ଥାଏ । ତା’ଛଡା ସେମାନଙ୍କ ଭିତରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ହୋଇପଡିଥାଏ ।
ସେମାନଙ୍କ ଅନୁସାରେ, ଯେଉଁ ବ୍ୟକ୍ତିମାନେ ପୂର୍ବରୁ ମେଦବହୁଳତା, ଡାଇବେଟିସ ଏବଂ ଉଚ୍ଚ ରକ୍ତଚାପର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ଠାରେ ହିଁ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ତେଣୁ ସେଭଳି ବ୍ୟକ୍ତି ଜାଣିବା ଦରକାର ଯେ ଘୁଙ୍ଗୁଡି ମାରିବା ଯୋଗୁ ସେମାନଙ୍କ ଅବସ୍ଥା ଆହୁରି ଖରାପ ହୋଇପଡିବ । ପୂର୍ବରୁ ଗବେଷକମାନେ କହିସାରିଛନ୍ତି କି ମେଦବହୁଳତା, ଡାଇବେଟିସ ଏବଂ ଉଚ୍ଚ ରକ୍ତଚାପର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡିବ ଏବଂ ଏଭଳି ଅଧିକ ସଂଖ୍ୟାରେ ପ୍ରାଣ ହରାଇବେ । ଘୁଙ୍ଗୁଡି ମାରିବା ସେମାନଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେବ । ତେଣୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସେମାନେ ସବୁବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ ମାସ୍କ ବ୍ୟବହାର କରିବା ଦରକାର ।
ୱାରୱିକ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ମତ ଦେଇଛନ୍ତି । ସେମାନେ ଘୁଙ୍ଗୁଡି ମାରିବା ସହ କରୋନାର ସମ୍ପର୍କକୁ ନେଇ ପୂର୍ବରୁ କରାଯାଇଥିବା ୧୮ଟି ଅଧ୍ୟୟନ ରିପୋର୍ଟର ବିଶ୍ଲେଷଣ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।