
ସତ୍ୟଶିଖା (ଭୁବନେଶ୍ୱର) ୦୩/୦୨/୨୦୨୧ : ଆପଣ ରାଜଧାନୀରେ ଜମି କିଣୁଛନ୍ତି କି? ଯଦି ଜମି କିଣୁଛନ୍ତି ଏବଂ ଏହା ଯଦି ଗୋଟିଏ ବଡ଼ ଜମିର ଛୋଟ ଅଂଶ ତେବେ ଜମିର ରେକର୍ଡପତ୍ର ଯାଞ୍ଚ କରିବା ସହ ଏହାର ଲେ-ଆଉଟ୍ ପ୍ଲାନ୍ ଅନୁମୋଦନ ହୋଇଛି କି ନାହିଁ ଦେଖନ୍ତୁ । ଲେ-ଆଉଟ୍ ପ୍ଲାନ୍ ଅନୁମୋଦନ ହୋଇନଥିଲେ, ୩୦ଫୁଟ୍ରୁ କମ୍ ରାସ୍ତା ହୋଇଥିଲେ ଜମି କିଣନ୍ତୁନି । କାରଣ ଏଭଳି ଜମି କିଣିଲେ ବି ଘର ନିର୍ମାଣ ପାଇଁ ବିଡିଏ କି ବିଏମ୍ସି କେହି ପ୍ଲାନ୍ ଅନୁମୋଦନ କରିବେନି । ଏଠାରେ ଯେଉଁ ଘର ନିର୍ମାଣ ହେବ ତାହା ବେଆଇନ ନିର୍ମାଣ ବୋଲି ଗଣାଯିବ । ସର୍ବକ୍ଷମା ଯୋଜନାରେ ବି ଏହାକୁ କ୍ଷମା ମିଳିବନି ।ଏହି ନିୟମ ଅଗଷ୍ଟ ୨୫, ୨୦୧୫ରୁ କଡ଼ାକଡ଼ି ଲାଗୁ ହେଲାଣି । ହେଲେ ଅଧିକାଂଶ ଲୋକ ମାନୁନାହାନ୍ତି । ଏପରିକି ୩୦.୦୫.୨୦୧୭ ପରଠାରୁ ଯେଉଁମାନେ ରେଗୁଲାରାଇଜ୍ ହୋଇନଥିବା ରାସ୍ତା ସଂଲଗ୍ନ ଜମି କିଣୁଛନ୍ତି; ସେମାନଙ୍କର ଘର ପ୍ଲାନ୍ ଅନୁମୋଦନ ହେଉନି । ଏତେ ସବୁ ନିୟମ ଥିଲେ ବି ସବ୍ରେଜିଷ୍ଟ୍ରି କାର୍ଯ୍ୟାଳୟ ଜମିକୁ କେତେ ଫୁଟ୍ର ରାସ୍ତା ଅଛି, ରାସ୍ତା ଅଛି କି ନାହିଁ, କିଛି ଦେଖୁନି । ସବୁ ଜମି କିଣାବିକା ହୋଇଯାଉଛି । ବିଡିଏ ଓ ଓରେରା କର୍ତ୍ତୃପକ୍ଷ ଏ ନେଇ ରାଜସ୍ଵ ବିଭାଗକୁ ଚିଠି ଲେଖିଥିଲେ ହେଁ କିଛି ପ୍ରଭାବ ପଡ଼ୁନି । ଏପରିକି ବହୁ ଲୋକ ବିଡିଏର ଉପରୋକ୍ତ ନିୟମ ସମ୍ପର୍କରେ ଅବଗତ ଥିଲେ ହେଁ ସବ୍ରେଜିଷ୍ଟ୍ରି ଅଫିସରେ ଜମି କିଣାବିକା ହେଉଥିବାରୁ ଜମି କିଣି ନେଉଛନ୍ତି । ହେଲେ ପରେ ଘର କରିବାକୁ ଅନୁମତି ମିଳୁ ନ ଥିବାରୁ ବହୁ ଲୋକ ଘର ନିର୍ମାଣ କରି ନ ପାରି ହଟହଟା ହେଉଛନ୍ତି । ଏହାକୁ ନଜରରେ ରଖି ସବ୍ପ୍ଲଟ୍ କିଣାବିକା ଉପରେ ରୋକ୍ ଲଗାଇବାକୁ ବିଡିଏ ଉପାଧ୍ୟକ୍ଷ ଗତ ଜାନୁଆରି ୧୧ରେ ରାଜସ୍ଵ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି । ହେଲେ ରାଜସ୍ଵ ବିଭାଗ ଏହାକୁ ଗ୍ରହଣ କରିବାକୁ ନାରାଜ । ଏବେବି ୨୫ଫୁଟ୍, ୨୦ଫୁଟ୍, ୧୮ଫୁଟ୍, ୧୫ଫୁଟ୍, ୧୨ଫୁଟ୍ ରାସ୍ତା ଥିବା ଜମି ବିକ୍ରି ହେଉଛି । ଭୁବନେଶ୍ୱର ସବ୍ରେଜିଷ୍ଟ୍ରି କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆମେ ଏମିତି କିଛି ନିର୍ଦ୍ଦେଶନାମା ପାଇନୁ । ଏଠାରେ ଏହି ନିୟମ କାର୍ଯ୍ୟକାରୀ ହେବ କି ନାହିଁ; ବିଭାଗୀୟ ଅଧିକାରୀ ନିଷ୍ପତ୍ତି ନେବେ । ଯେବେ ନିର୍ଦ୍ଦେଶ ଆସିବ ସେବେ କାର୍ଯ୍ୟକାରୀ ହେବ । ପୂର୍ବରୁ ଏହିଭଳି ବିଡିଏ, ଓରେରା କର୍ତ୍ତୃପକ୍ଷ ରାଜସ୍ଵ ବିଭାଗକୁ ଚିଠି ଲେଖିଥିଲେ । ଓରେରା ଚିଠି ପରେ ସବ୍ପ୍ଲଟ୍ କିଣାବିକା କିଛି ଦିନ ବନ୍ଦ ଥିଲା । କିନ୍ତୁ ରାଜସ୍ଵ ବିଭାଗର ରାଜସ୍ଵ ଆଦାୟ ନିଶା ଆଗରେ ଓରେରା ତାଗିଦ୍ କାମ ଦେଲାନି । ଏବେ ବିଡିଏ ଉପାଧ୍ୟକ୍ଷ ଚିଠି ଲେଖିଥିବାବେଳେ ତାହାକୁ ବି ଚପାଇ ଦିଆଯାଇଛି । ନଗର ଉନ୍ନୟନ ବିଭାଗ ଓ ରାଜସ୍ଵ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଏବେ ସହରର ପ୍ଲାନିଂ ବାଟବଣା ହେବାରେ ଲାଗିଛି ।