ଜମୁଛି ବେଣୁଧରଙ୍କ ପ୍ରଚାର ବାଲେଶ୍ୱରରେ l

ସତ୍ୟଶିଖା (ବାଲେଶ୍ୱର) ୨୯/୧୦/୨୦୨୦ : ବାଲେଶ୍ୱର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ବାଲେଶ୍ୱର ସଦରରୁ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପ୍ରଚାର ମଧ୍ୟ ଦିନକୁ ଦିନ ଜମୁଛି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭଳି ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବି ଭୋଟରଙ୍କୁ ବେଶ୍ ଆକୃଷ୍ଟ କରୁଛନ୍ତି । ତାଙ୍କ ପାଇଁ ଅନେକ ଅଭିନେତା, ସମାଜସେବୀ ପ୍ରଚାର କରିବା ପରେ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ମଧ୍ୟ ନିଜେ ବେଣୁ ମଉସାଙ୍କ ପାଇଁ ଗୀତ ଗାଇଛନ୍ତି । …ନବେ ବରଷର ଯୁବକ… ହଟିବ ସବୁ କଷଣ… ହେବ ଉଦାହରଣ… ନାହିଁ ବାହୁ ବଳ, ନାହିଁ ପଇସା… ଏଥର ଆମ ବେଣୁ ମଉସା । ଆଉ ଏହି ଗୀତଟି ବାଲେଶ୍ୱରରେ ପୁରା ଭାଇରାଲ୍ ହେବାରେ ଲାଗିଛି । ବେଣୁଧର ବାରିକ ମଧ୍ୟ ନିଜ ପ୍ରଚାର ଶୋଭାଯାତ୍ରାରେ ଅଭିଜିତ ମଜୁମଦାରଙ୍କ ଏହି ଗୀତଟିକୁ ବଜାଉଥିବା ଦେଖିବାକୁ ମିଳୁଛି । ଭୋଟରଙ୍କୁ ବେଶ ଆକୃଷ୍ଟ କରୁଛି ଏହି ଗୀତ ।ପୂର୍ବରୁ ବେଣୁଧରଙ୍କ ପାଇଁ ନିଆରା ଢଙ୍ଗରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ବିନା ପାରିଶ୍ରମିକରେ ପ୍ରଚାର କରିଥିଲେ । ରାଣୀ ପଣ୍ଡା ରିକ୍ସାରେ ବେଣୁଧରଙ୍କୁ ବସାଇ ପ୍ରଚାର କରିବା ସହ ଭୋଟ୍ ଭିକ୍ଷା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ବେଣୁଧରଙ୍କୁ ଏକ ସାଇକେଲ୍ ମଧ୍ୟ ଦେଇଛନ୍ତି ରାଣୀ ପଣ୍ଡା । ଏପରିକି ନିର୍ବାଚନ ପରେ ଏକ ସେଲୁନ ମଧ୍ୟ ଖୋଲିବା ନେଇ ରାଣୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଜଣେ ଅଭିନେତ୍ରୀ ମଧ୍ୟ ବେଣୁଧରଙ୍କ ପାଇଁ ପ୍ରଚାର କରିଥିଲେ ।