ନ୍ୟୁଜ୍ରାଜ୍ୟ

ଘଣ୍ଟାଏ ବର୍ଷାରେ ବେହାଲ୍ ସିଲ୍କ ସିଟି, ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି

ସତ୍ୟଶିଖା (ବ୍ରହ୍ମପୁର) ୨୩.୦୬.୨୦୨୨: ବ୍ରହ୍ମପୁରରେ ପ୍ରବଳ ବର୍ଷା । ଘଣ୍ଟାଏରୁ ଅଧିକ ବର୍ଷା ହେବା ଫଳରେ ସହରର ଅବସ୍ଥା ବେହାଲ୍ ହୋଇପଡିଛି । ଚାରି ଆଡେ ଖାଲି ପାଣି ଆଉ ପାଣି । ସହରର ବିଭିନ୍ନ ସ୍ଥାନରେ ପାଣି ଜମିବା ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହରବାସୀ । ପ୍ରେମନଗର ରାସ୍ତା, ଗାନ୍ଧିନଗର ରାସ୍ତା, ଆସ୍କା ରୋଡ୍ ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଏପରିକି ଖୋଦ୍ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସହରର ଡ୍ରେନେଜ୍ ବ୍ୟବସ୍ଥା କେମିତି ଥିବ ତାହା ସହଜରେ ଅନୁମାନ ହୋଇପଡିଛି । କେଉଁଠି ରିକ୍ସା ବୁଡି ଯାଉଛି ତ ଆଉ କେଉଁଠି ଅଟୋ ଅଧା ବୁଡି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ବର୍ଷା ଋତୁ ପୂର୍ବରୁ ଡ୍ରେନେଜ୍ ବ୍ୟବସ୍ଥା ସୁଧାର ନକଲେ ସହରର ଜଳ ନିଷ୍କାସନ ନେଇ ଅସୁବିଧାର ସମ୍ମୁଖୀନ ହେବା ନେଇ ଅନେକ ଅଭିଯୋଗ ହୋଇଥିଲା । ଅର୍ଦ୍ଧ ନିର୍ମିତ ରାସ୍ତା, ଡ୍ରେନେଜ୍ ଯୋଗୁଁ ଏଭଳି ଅବସ୍ଥାକୁ ଆହୁରି ସଂଗୀନ୍ କରି ଦେଇଛି । ଏ ଦିଗରେ ମହାନଗର ନିଗମ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସହରବାସୀ କହିଛନ୍ତି ।

Show More
Back to top button