ମା’ ବିରଜାଙ୍କ ରଥଯାତ୍ରାକୁ ମିଳିଲା ଅନୁମତି, କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ରଥଯାତ୍ରା କରିବାକୁ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ


ସତ୍ୟଶିଖା (ଯାଜପୁର) ୦୮.୧୦.୨୦୨୦ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା କରିବା ନିଷ୍ପତ୍ତି ଯାଜପୁର ଜିଲ୍ଲାପାଳ ନେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । କୋଭିଡ୍ ଗାଇଡ୍ ଲାଇନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ତେବେ ବିରଜା ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ପୂର୍ବରୁ ରିପୋର୍ଟ ତଲବ କରିଥିଲେ ଅଦଲତ । ଆଜି ସୁଦ୍ଧା ଏ ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ କୁହାଯାଇଥିଲା । ନିର୍ଦ୍ଦେଶ ଅନୁଯାୟୀ ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ହାଇକୋର୍ଟରେ ଉପସ୍ଥାପିତ ହୋଇଥିଲା ।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୁର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୁକ୍ତି ମଣ୍ଡପ ସେବାୟତ ପରିଷଦ । ପ୍ରତିବର୍ଷ ଦୁର୍ଗାପୂଜା ଅବସରରେ ମା’ ବିରଜାଙ୍କର ସ୍ବତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ଜନିତ କଟକଣା ରହିଥିବାରୁ କୌଣସି ମନ୍ଦିରରେ କୌଣସି ଧର୍ମୀୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି । ଚଳିତ ବର୍ଷ ମଳ ମାସ ପଡୁଥିବାରୁ ମା’ଙ୍କ ପୂଜା ୪୬ ଦିନ ଧରି ଚାଲିବ ଏବଂ ମା’ଙ୍କ ରଥଯାତ୍ରା ଆସନ୍ତା ଅକ୍ଟୋବର ୧୭ ତାରିଖରୁ ୨୪ ତାରିଖ ମଧ୍ୟରେ ୯ ଦିନ ଧରି ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ସେଥିପାଇଁ ମା’ଙ୍କ ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି ।
ଏହି ରଥଯାତ୍ରା ଲସମୟରେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରିବା ସହିତ ହାଇକୋର୍ଟ ଅନ୍ୟ ଯେଉଁ ସବୁ ସର୍ତ ରଖିବେ ତାକୁ ମାନି ରଥଯାତ୍ରା କରାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ କୋର୍ଟଙ୍କୁ ଦର୍ଶାଯାଇଛି । ବିରଜା ରଥଯାତ୍ରା ନେଇ ହାଇକୋର୍ଟରେ ଏ ପର୍ଯ୍ୟନ୍ତ ୪ଟି ଜନସ୍ଵାର୍ଥ ମାମଲା ରୁଜୁ ହୋଇଥିଲା । ମୁକ୍ତି ମଣ୍ଡପ ସେବାୟତ ପରିଷଦ, ଜିଲ୍ଲା ଓକିଲ ସଂଘ, ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବିରଜା ବାହିନୀ ପକ୍ଷରୁ ପୃଥକ ପୃଥକ ଜନସ୍ବାର୍ଥ ମାମଲା ରୁଜ୍ଜୁ କରାଯାଇଥିଲା । ଆଜି ବିରଜା ରଥଯାତ୍ରା ସଂକ୍ରାନ୍ତରେ ଦୁଇଟି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଦୁଇଟି ଯାକ ମାମଲାର ଏକତ୍ର ଶୁଣାଣି ହୋଇଥିଲା ।