ସତ୍ୟଶିଖା ୨୭/୦୧/୨୦୨୧ : ପୁଣି ବିବାଦ ଘେରରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ । ବିଭାଗୀୟ ଅଧିକାରୀଙ୍କୁ ଅଡୁଆରେ ପକାଇଛି ଜିଏସଟି ଠକେଇ । ୩ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରକୁ ସମନ୍ କରି ହିସାବ ମାଗିଛି ଜିଏସଟି ଏନଫୋର୍ସମେଂଟ୍ ବିଭାଗ । ଫଲ୍ସ ଭାଉଚର୍ ଦେଇ ପ୍ରାୟ ୪ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଉପରେ ଜିଏସଟି ହେରଫେର ହୋଇଥିବା ଅଭିଯୋଗ ହୋଇଛି ।
ଏନେଇ ନୋଟିସ୍ ଆସିବା ପରେ ଅଡୁଆରେ ପଡିଛନ୍ତି ବାରିପଦା ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥାର ଅଧିକାରୀ । ୨୦୧୭ ଜୁଲାଇ ୧ ରୁ ୨୦୨୦ ଅଗଷ୍ଟ ୫ ଭିତରେ ଆଇଟିଡିଏ ଜରିଆରେ ହୋଇଥିବା ସମସ୍ତ ଉନ୍ନତିମୂଳକ କାମର ସବିଶେଷ ତଥ୍ୟ ମାଗିଛନ୍ତି ବାରିପଦା ସିଟି ଏବଂ ଜିଏସଟି ଏନଫୋର୍ସମେଂଟ୍ ବିଭାଗ । ଏହି ୩ ବର୍ଷରେ ଧାର୍ଯ୍ୟ ମୂଲ୍ୟର କାର୍ଯ୍ୟ ଗୁଡିକୁ ନେଇ ଦାଖଲ ହୋଇଥିବା ଜିଏସଟି ଏବଂ କଟାଯାଇଥିବା ଟିଡିଏସ୍ ତଥ୍ୟ ଦାଖଲ ପାଇଁ ନିର୍ଦେଶ ଆସିବା ପରେ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରଙ୍କ ଅକଲ ଗୁଡମ୍ ହୋଇଛି ।