ପୁଣି ଆରମ୍ଭ ହେବ ବନ୍ଦେ ଭାରତ ଏକ୍ସପ୍ରେସ: ନବରାତ୍ରି କରିପାରିବେ ବୈଷ୍ଣୋ ଦେବୀ ଯାତ୍ରା, ଏତିକି ରହିଛି ଭଡା

ସତ୍ୟଶିଖା (ନୂଆଦିଲ୍ଲୀ) ୧୦.୧୦.୨୦୨୦ : କରୋନା କାଳରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ବନ୍ଦ ହେବାପରେ ନୂଆଦିଲ୍ଲୀ-କଟରା ବନ୍ଦେ ଭାରତ ଏକ୍ସପ୍ରେସ ଅକ୍ଟୋବର ୧୫ ତାରିଖରୁ ପୁଣି ଆରମ୍ଭ ହେବାକୁ ଯାଉଛି । ନବରାତ୍ରି ପୂର୍ବରୁ ଏହି ଟ୍ରେନ ଚଳାଚଳ ଆରମ୍ଭ ହେବାରୁ ଶ୍ରଦ୍ଧାଳୁଙ୍କ ପାଇଁ ମାତା ବୈଷ୍ଣୋ ଦେବୀ ଯାତ୍ରା ସହଜ ହୋଇଯିବ । ଏହି ଟ୍ରେନ ମଙ୍ଗଳବାର ଛାଡି ସପ୍ତାହକୁ ୬ ଦିନ ଚାଲିବ । ମାତ୍ର ୮ ଘଣ୍ଟାରେ ଯାତ୍ରୀ ନୂଆଦିଲ୍ଲୀରୁ କଟରା ପହଞ୍ଚି ପାରିବେ । ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀ ଆଜିଠାରୁ ଟିକେଟ ବୁକିଂ କରିପାରିବେ ।ଟ୍ରେନ ନୂଆଦିଲ୍ଲୀରୁ ସକାଳ ୬ଟାରୁ ଯାତ୍ରା ଆରମ୍ଭ କରିବ ଓ ୮.୧୦ ରେ ଅମ୍ବଲାରେ ପହଞ୍ଚିବ । ୯.୧୯ରେ ଟ୍ରେନ ଲୁଧିଆନା ଓ ଅପରାହ୍ନ ୧୨ଟା ୩୮ ମିନିଟରେ ଜାମ୍ମୁରେ ୨ ମିନିଟ ରହିବା ପରେ ୨ଟା ରେ ମାତା ବୈଷ୍ଣୋ ଦେବୀ କଟରାରେ ପହଞ୍ଚିବ । କଟରାରୁ ଫେରୁଥିବା ଯାତ୍ରୀଙ୍କୁ ନେଇ ଟ୍ରେନ ପୁଣି ଅପରାହ୍ନ ୩ଟାରେ ଫେରିବ । ଅପରାହ୍ନ ୪ଟା ୧୩ରେ ଜାମ୍ମୁ, ସନ୍ଧ୍ୟା ସାଢେ ୭ଟାରେ ଲୁଧିଆନା ଓ ରାତି ୮ଟା ୪୮ରେ ଅମ୍ବଲାରେ ପହଞ୍ଚିବ । ନୂଆଦିଲ୍ଲୀରେ ଟ୍ରେନ ରାତି ୧୧ଟା ରେ ପହଞ୍ଚିବ ।
ଘଣ୍ଟା ପ୍ରତି ୧୬୦ କିମି ବେଗରେ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସରେ ଅତ୍ୟାଧୁନିକ ସୁବିଧା ରହିଛି । ଟ୍ରେନରେ ୨ଟି ଡ୍ରାଇଭର କାର, ୨ଟି ଏକଜିକ୍ୟୁଟିଭ ଚେୟାର କାର ଓ ୧୨ ଚେୟାର କାର ସହ ୧୬ କୋଚ ରହିଛି । ନୂଆଦିଲ୍ଲୀରୁ କଟରା ଯିବାବେଳେ ଟ୍ରେନ ନମ୍ବର ୨୨୪୩୯ ଓ କଟରାରୁ ନୂଆଦିଲ୍ଲୀ ଆସିବାବେଳେ ଟ୍ରେନ ନମ୍ବର ୨୨୪୪୦ ରହିବ।ନୂଆଦିଲ୍ଲୀରୁ କଟରା ପାଇଁ ଏସି ଚେୟାର କାର ପାଇଁ ଭଡା ୧୬୩୦ ଟଙ୍କା ଓ ଏକଜିକ୍ୟୁଟିଭ କାର ଚେୟାରରେ ଯାତ୍ରା ପାଇଁ ଭଡା ୩ ହଜାର ୧୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ନୂଆଦିଲ୍ଲୀରୁ ଜାମ୍ମୁ ତବି ପାଇଁ ଏସି ଚେୟାର କାର ଭଡା ୧୩୦୦ ଟଙ୍କା ଓ ଲୁଧିଆନା ଯାଏଁ ଭଡା ୯୦୫ ଟଙ୍କା ରହିଛି । ଅମ୍ବଲା ଯାଏଁ ଭଡା ୭୨୫ ଟଙ୍କା ରହିଛି । କଟରାରୁ ନୂଆଦିଲ୍ଲୀ ପାଇଁ ଏସି ଚେୟାର କାର ଭଡା ୧୫୭୦ ଟଙ୍କା ଓ ଏକଜିକ୍ୟୁଟିଭ ଚେୟାର କାର ପାଇଁ ଭଡା ୨୯୬୫ ଟଙ୍କା, ଜାମ୍ମୁ ତବିରୁ ନୂଆଦିଲ୍ଲୀ ପାଇଁ ଏସି ଚେୟାର କାର ଭଡା ୧୪୬୫ ଟଙ୍କା ଓ ଏକଜିକ୍ୟୁଟିଭ କ୍ଲାସ ପାଇଁ ଭଡା ୨୭୫୫ ଟଙ୍କା ରହିଛି ।