ସତ୍ୟଶିଖା(ଭୁବନେଶ୍ୱର) ୧୯.୦୪.୨୦୨୧: ଥମିନି ପିପିଲି ରାଜନୀତି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ହୋଇଥିଲେ ମଧ୍ୟ ନୂଆ ତାରିଖ ଘୋଷଣା କରାଯାଇଛି । ମେ’ ୧୩ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବା ସହ ୧୬ ତାରିଖରେ ହେବ ଭୋଟ୍ ଗଣତି । ତେବେ ଅଜିତ୍ଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ଦଳ ତରଫରୁ କିଛି ଘୋଷଣା କରାଯାଇ ନଥିଲେ ମଧ୍ୟ ଜଟଣୀ ବିଧାୟକ ସୁରେଶ ରାଉତରାୟ କିନ୍ତୁ ଅଜିତଙ୍କ ପତ୍ନୀ ବନ୍ଦନାଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ଖୋଲାଖୋଲି ଭାବେ ତାଙ୍କୁ ପ୍ରାର୍ଥୀ କଲେ ଦଳ ଭଲ କରିବ ବୋଲି କହିଛନ୍ତି ସୁର ।
ସୁର ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦଳରେ ୫ ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ତେବେ ସ୍ୱର୍ଗତ ଅଜିତଙ୍କ ପତ୍ନୀ ବନ୍ଦନା ଯଦି ରାଜି ହୁଅନ୍ତି, ତା’ହେଲେ ବହୁତ ଭଲ ହୁଅନ୍ତା । ତେବେ ବନ୍ଦନା କଂଗ୍ରେସର ପ୍ରାର୍ଥୀ ହେବା ନେଇ ଚୂଡାନ୍ତ ହୋଇନଥିଲେ ମଧ୍ୟ ଏବେଠୁ ଅନୁକମ୍ପା ଭୋଟ୍ କୁଆଡେ ଯିବ ସେନେଇ ଚର୍ଚ୍ଚା ଜୋର ଧରିଛି । ବନ୍ଦନା ବର୍ତ୍ତମାନ ସ୍ୱାମୀ ଓ ଶାଶୂଙ୍କୁ ହରାଇଥିବାବେଳେ ବାପାଙ୍କୁ ହରାଇଛନ୍ତି ରୁଦ୍ର । ବନ୍ଦନା ପ୍ରାର୍ଥୀ ହେଲେ ପିପିଲି ଓ ଡେଲାଙ୍ଗର ଅନୁକମ୍ପା ଭୋଟ୍ କାହା ଆଡ଼କୁ ଯିବ । ବନ୍ଦନା ବାଜି ମାରିବେ ନା ରୁଦ୍ର ବାପାଙ୍କ ଆସନକୁ ଧରି ରଖିବେ ସେ ନେଇ ପିପିଲି ନିର୍ବାଚନମଣ୍ଡଳୀରେ ପାନ ଦୋକାନଠୁ ଆରମ୍ଭ କରି ଛକ ଛକରେ ହେଉଥିବା ଖଟିରେ ଆଲୋଚନା ଜୋର ଧରିଛି ।
କଂଗ୍ରେସରେ କେବଳ ସେ ନୁହନ୍ତି, ଅଧିକାଂଶ ଦଳୀୟ କର୍ମୀଙ୍କ ମତ ଅଜିତଙ୍କ ପତ୍ନୀ ବନ୍ଦନାଙ୍କ ସପକ୍ଷରେ ଥିବା ସୁର ଯୁକ୍ତି ବାଢ଼ିଛନ୍ତି । ସେପଟେ ପ୍ରଚାର ବନ୍ଦ ସତ୍ତେ୍ୱ ଲୋକଙ୍କ ପାଖରେ ପହଞ୍ଚୁଥିବା ବିଜେପି ଓ ବିଜେଡି କହିଛନ୍ତି । ଭୋଟ୍ ବିଳମ୍ବ ହେଲେ ବି ଜନମତ ପ୍ରଭାବିତ ହେବନାହିଁ । ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ବନ୍ଦନା । ତାଙ୍କୁ ପ୍ରାର୍ଥୀ କରିବା ନେଇ କଂଗ୍ରେସ କସରତ ଆରମ୍ଭ କରିଛି । ସୁରଙ୍କ କହିବା ଅନୁସାରେ, ଦଳ ଭିତରେ ବନ୍ଦନାଙ୍କ ପାଇଁ ସମର୍ଥନ ବଢୁଛି । ବନ୍ଦନା ପ୍ରାର୍ଥୀ ହେଲେ କଂଗ୍ରେସ କର୍ମୀ ନିଜ ହାତରୁ ଉପନିର୍ବାଚନ ପାଇଁ ଖର୍ଚ୍ଚ କରିବେ । ରାହୁଲ ଗାନ୍ଧୀ ବି ଏନେଇ ବନ୍ଦନାଙ୍କ ସହ କଥା ହେବା ସମୟରେ ପରୋକ୍ଷ ସୂଚନା ଦେଇଥିବା ଜଣାପଡିଛି ।
ବନ୍ଦନାଙ୍କ ସଙ୍ଗଠନ ଭଲ ଓ ଲୋକଙ୍କ ସହାନୁଭୂତି ମିଳିବ ବୋଲି ବହୁ କଂଗ୍ରେସ ନେତା କହୁଛନ୍ତି । ସେପଟେ ଭାଟ୍ ଗ୍ରହଣ ବିଳମ୍ବ ହେଲେ ବି ଜନମତ ପ୍ରଭାବିତ ହେବନାହିଁ ବାଲି ଅନ୍ୟ ଦଳ ପ୍ରାର୍ଥୀ କହିଛନ୍ତି । ପ୍ରଚାର ବନ୍ଦ ଅଛି ହେଲେ ଗାଁ, ୱାର୍ଡ ଓ ପଞ୍ଚାୟତର ଦଳୀୟ ଶିବିରରେ ନେତା ଏବଂ କର୍ମୀ ବସାଉଠା କରୁଛନ୍ତି । ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝୁଛନ୍ତି । ଏହା ବିଜୟ ପଥକୁ ସୁଗମ କରିବ ବାଲି ବିଜେଡି ଦାବି କରିଛି । ସେପଟେ ପ୍ରତି ଗାଁରେ ଦଳର କର୍ମୀ ଥିବା ବିଜେପି କହିଛି । ଯାହା ପରିବର୍ତ୍ତନ ଆଣିବ ବାଲି ଦଳୀୟ ନେତା ଆକଳନ କରିଛନ୍ତି । ତେବେ ଚୂଡ଼ାନ୍ତ ମତ ପିପିଲି-ଡେଲାଙ୍ଗ ଜନସାଧାରଣ ଦେବେ ।