

ସତ୍ୟଶିଖା :୧୫/୦୫/୨୦୨୫: ବେଲୁଚିସ୍ତାନ କୁ ଜୋର ଜବରଦସ୍ତ ଅକ୍ତିଆର କରିନେଇଥିଲା ପାକ୍ ।ଦଶନ୍ଧି ଦଶନ୍ଧି ଧରି ଏଠାରେ ହିଂସା, ଅପହରଣ, ହତ୍ୟା, ମାନବାଧିକାର ଉଲ୍ଲଂଘନ ଭଳି ଘଟଣା ଘଟିଚାଲିଛି । କିନ୍ତୁ ଏବେ ପାକିସ୍ତାନଠାରୁ ବେଲୁଚିସ୍ତାନ ସ୍ୱାଧୀନ ହେଲା ବୋଲି ଆମେ ପୁନର୍ବାର ଘୋଷଣା କରୁଛୁ । ତତ୍ସହିତ ତମାମ ଦେଶଗୁଡ଼ିକୁ ସହାୟତା ଲାଗି ଆମେ ଅପିଲ୍ କରୁଛୁ ।
୪ ଦିନ ଧରି ଯୁଦ୍ଧ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ସହମତି ହେବାର କିଛିଦିନ ପରେ ବେଲୁଚିସ୍ତାନର ଜଣେ ବିଶିଷ୍ଟ ନେତା ଏଭଳି ଦାବି କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ଏ ନେଇ ଅଭିଯାନ ଚଳାଇ ବେଲୁଚିସ୍ତାନ ସ୍ୱାଧୀନତା ପାଇଲା ବୋଲି କହିଛନ୍ତି । ବିଶିଷ୍ଟ ବେଲୁଚ ଲେଖକ ତଥା ନେତା ମୀର୍ ୟାର୍ ବେଲୁଚ ବୁଧବାର ‘ଏକ୍ସ’ରେ ଲେଖିଛନ୍ତି, ଜଣେ ବିଶିଷ୍ଟ ସାମ୍ବାଦିକ ମୋତେ ପ୍ରଶ୍ନ କରିଛନ୍ତି ଯେ ବେଲୁଚିସ୍ତାନରୁ ପାକ୍ ସେନା ପଳାୟନ କରିଥିବାରୁ ଏହା ଏବେ ସ୍ୱାଧୀନ ହେଲା ବୋଲି କୁହାଯିବ କି? କିନ୍ତୁ ମୋର କହିବା କଥା ହେଉଛି ୧୯୪୭ ଅଗଷ୍ଟ ୧୧ରେ ଇଂରେଜମାନେ ବେଲୁଚିସ୍ତାନକୁ ଛାଡ଼ି ପଳାଇବା ପରେ ଆମେ ଆମର ସ୍ୱାଧୀନତା ଘୋଷଣା କରିଥିଲୁ । ମୀର୍ ୟାର୍ ଆଉ ଏକ ପୋଷ୍ଟରେ ଲେଖିଛନ୍ତି, ପ୍ରିୟର ଭାରତୀୟ ଗଣମାଧ୍ୟମ, ୟୁଟ୍ୟୁବ୍ କମ୍ରେଡ୍ ଏବଂ ଭାରତର ସୁରକ୍ଷା ପାଇଁ ଲଢ଼ୁଥିବା ବୁଦ୍ଧିଜୀବୀ, ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ବେଲୁଚମାନଙ୍କୁ ଆଉ ପାକିସ୍ତାନର ଲୋକ ଭାବେ ଅଭିହିତ କରନ୍ତୁ ନାହିଁ । ଆମେ ପାକିସ୍ତାନୀ ନୁହଁ । ଆମେ ବେଲୁଚସ୍ତାନୀ । ପାକିସ୍ତାନର ଲୋକମାନେ ହେଉଛନ୍ତି ପଞ୍ଜାବୀ, ଯେଉଁମାନେ ବୋମା ବିସ୍ଫୋରଣ, ବଳପୂର୍ବକ ଗାଏବ ଓ ନରସଂହାର ଭଳି ଘଟଣାର ସମ୍ମୁଖୀନ ହୋଇନାହାନ୍ତି ।
ଉଲ୍ଲେଖଯୋଗ୍ୟ, ଭାରତର ‘ଅପରେସନ ସିନ୍ଦୂର’ ପରେ ମୀର୍ ୟାର ‘ଏକ୍ସ’ରେ ଲେଖିଥିଲେ, ପାକିସ୍ତାନକୁ ଚୀନ୍ ସହାୟତା ଯୋଗାଇ ଦେଉଛି । କିନ୍ତୁ ବେଲୁଚିସ୍ତାନ ଏବଂ ଏହାର ଲୋକମାନେ ଭାରତ ସରକାରଙ୍କୁ ସମର୍ଥନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏକା ନୁହନ୍ତି । ତାଙ୍କ ପଛରେ ୬ କୋଟି ବେଲୁଚଙ୍କର ସମର୍ଥନ ରହିଛି । ସେ କହିଛନ୍ତି, ଭାରତ ଓ ପାକିସ୍ତାନ ପରସ୍ପର ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ବେଲୁଚିସ୍ତାନ ଓ ଏହାର ଲୋକମାନେ ଭାରତକୁ ସମର୍ଥନ ଯୋଗାଇଥିଲେ । ବେଲୁଚିସ୍ତାନ ଗଣରାଜ୍ୟର ଲୋକମାନେ ସବୁବେଳେ ଭାରତର ଲୋକଙ୍କ ପାଇଁ ଛିଡ଼ା ହୋଇଛନ୍ତି । ବେଲୁଚିସ୍ତାନ ପାକିସ୍ତାନ ନୁହେଁ । ଦୁନିଆ ଏବେ ମୂକ ଦର୍ଶକ ନ ସାଜୁ । ମୀର୍ ୟାର୍ ବେଲୁଚ ଏହି ପରିପ୍ରେକ୍ଷୀରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)କୁ ନେଇ ଭାରତର ଆଭିମୁଖ୍ୟକୁ ବି ସମର୍ଥନ କରିଛନ୍ତି । ସେ ଅନ୍ତର୍ଜାତୀୟ ସମୁଦାୟକୁ ଅପିଲ୍ କରି ପାକିସ୍ତାନଠାରୁ ଏହି ଅଞ୍ଚଳକୁ ଖାଲି କରାଇବାକୁ କହିଛନ୍ତି । ସେ କହିଛନ୍ତି, ୨୦୨୫ ମେ ୧୪- ପିଓକେ ଖାଲି କରିବା ପାଇଁ ଭାରତର ନିଷ୍ପତ୍ତିକୁ ବେଲୁଚିସ୍ତାନ ପୂର୍ଣ୍ଣ ସମର୍ଥନ କରୁଛି ।
ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ଏହାର ସମର୍ଥନ କରନ୍ତୁ । ପାକିସ୍ତାନୀ ସେନାକୁ ହରାଇବାରେ ଭାରତ ସମର୍ଥ । ଯଦି ପାକିସ୍ତାନ ଏହା ନ ବୁଝେ, ତେବେ କେବଳ ପାକିସ୍ତାନର ଲୋଭୀ ସେନାର ଜେନେରାଲମାନେ ହିଁ ରକ୍ତପାତ ଲାଗି ଉତ୍ତରଦାୟୀ ରହିବେ । କାରଣ ପିଓକେର ଲୋକମାନଙ୍କୁ ଢାଲ ବନାଇ ବ୍ୟବହାର କରୁଛି ଇସଲାମାବାଦ । ମୀର୍ ୟାରଙ୍କ ମୁତାବକ, ବେଲୁଚିସ୍ତାନ ଉପରେ ପାକିସ୍ତାନର ବୟାନକୁ ବିଶ୍ୱ ସମୁଦାୟ ସ୍ୱୀକାର କରିବା ଅନୁଚିତ । କାରଣ କିଛି ବିଦେଶୀ ଶକ୍ତି ସହାୟତାରେ ପାକିସ୍ତାନ ବଳପୂର୍ବକ ଭାବେ ବେଲୁଚିସ୍ତାନକୁ ଅକ୍ତିଆର କରିଥିଲା । ଏଠାରେ ଦୀର୍ଘଦିନ ହେଲା ମାନବାଧିକାର ଉଲ୍ଲଂଘନ ହେଉଥିବା କଥା ସାରା ବିଶ୍ୱ ଜାଣେ ।