ବାଲିଯାତ୍ରା ଏବର୍ଷ ହେବନି

ସତ୍ୟଶିଖା (ଭୁବନେଶ୍ୱର) ୩୦/୧୦/୨୦୨୦ : କରୋନା ପାଇଁ ବାଲିଯାତ୍ରା ଉପରେ କଟକଣା। ଚଳିତ ବର୍ଷ କଟକରେ ହେବ ନାହିଁ ପ୍ରସିଦ୍ଧ ବାଲିଯାତ୍ରା । କୋଭିଡ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ସାମୁହିକ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ବାରଣ କରାଯାଇଛି । କଟକରେ କରୋନା ସଂକ୍ରମଣ ଏବଂ ଭିଡ଼କୁ ଦୃଷ୍ଟିରେ ରଖି ଏଥର ଧବଳେଶ୍ବରରେ ବଡ଼ ଓଷା ସମ୍ଭବ ନୁହେଁ । ପଂଚୁକରେ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ଯିବା ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲାପ୍ରଶାସନ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତିି ନିଆଯାଇଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି ।ସୂଚନାଯୋଗ୍ୟ ଯେ, କଟକରେ ପ୍ରତିବର୍ଷ ପ୍ରସିଦ୍ଧ ବାଲିଯାତ୍ରା ବଡ଼ ଧୁମ୍ ଧାମ୍ରେ ପାଳିତ ହୋଇଥାଏ । ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ । ନାଚ ଗୀତରେ ମଞ୍ଚ ଦୁଲୁକେ ଆଉ ଏଇ ରଙ୍ଗମହଲ ମଞ୍ଚ ସାମ୍ନାରେ ଅଗଣିତ ଦର୍ଶକଙ୍କ ଗହଳି ଲାଗିଥାଏ । ମାତ୍ର କରୋନା ପାଇଁ ଏଥର ବାଲିଯାତ୍ରା ଉପରେ କଟକଣା ଜାରି କରାଯାଇଛି । କଟକଣା ଓ ଦଣ୍ଡ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।