ଆରମ୍ଭ ହେଲା ବାଲିଯାତ୍ରା, ଲାଗିଛି ଦେଢ଼ ହଜାର ଷ୍ଟଲ୍

ସତ୍ୟଶିଖା( କଟକ )୦୯.୧୧.୨୦୨୨:  ଆଜିଠୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ପରଂପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ଏହାର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ବାଲିଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ଭିତରେ କଟକ ମେୟର ସୁବାସ ସିଂ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ। ଏଥର ବାଲିଯାତ୍ରାରେ ପ୍ରାୟ ଦେଢ଼ ହଜାର ଷ୍ଟଲ୍ ଲାଗିଛି। ଭଳିକି ଭଳି ଜିନିଷ ସାଙ୍ଗକୁ ଖାଦ୍ୟପେୟ ଷ୍ଟଲ ଏହା ଭିତରେ ଭରି ରହିଛି।

କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ରାଜ୍ୟର ଏହି ବୃହତ ବାଣିଜ୍ୟିକ ମେଳା ବନ୍ଦ ରହିଥିଲା। ତେଣୁ ଏବର୍ଷ ଏହାକୁ ନେଇ ବେଶ ଉତ୍କଣ୍ଠାରେ ଥିଲେ ଲୋକେ। ଯାତ୍ରା ଆରମ୍ଭ ହୋଇଥିବାରୁ କିଣାକିଣି ସହ ଚଟପଟି ଓ ବିଭିନ୍ନ ପ୍ରକାର ଖାଦ୍ୟର ସ୍ୱାଦ ନେବାକୁ ଲୋକେ ଭିଡ଼ ଲଗାଇଛନ୍ତି। ସନ୍ଧ୍ୟାରେ ସାଙ୍ଗସୁଖ ଓ ପରିବାର ସହ ଆସିଥିବା ଲୋକେ ରାମ ଦୋଳି, ଡିସ୍‌କୋ ଦୋଳିରେ ବସି ଖୁବ୍ ମଜା ନେଇଛନ୍ତି। ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ ହୋଇଛି। ଯାହାର ଭରପୂର ଆନନ୍ଦ ନେଉଛନ୍ତି ଲୋକେ।
Exit mobile version