ସତ୍ୟଶିଖା (ଭୁବନେଶ୍ୱର) ୩/୧୧/୨୦୨୦ : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଆରମ୍ଭ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟଗ୍ରହଣ। କୋଭିଡ୍ କଟକଣା ମଧ୍ୟରେ ଉଭୟ ଆସନରେ ଉପନିର୍ବାଚନ ଭୋଟ ଗ୍ରହଣ ହେଉଛି । ଭୋଟରମାନେ ଗ୍ଲୋଭସ ପିନ୍ଧି ଇଭିଏମ ବଟନ୍ ଦବାଇ ନିଜ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବେ । ବୁଥ୍ ଭିତରକୁ ଯିବା ପୂର୍ବରୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଯଦି ଭୋଟରଙ୍କ ଦେହର ତାପମାତ୍ରା ଅଧିକ ରୁହେ ତେବେ ତାଙ୍କୁ ଏକ କୁପନ୍ ଦିଆଯିବ। ସେ ମତଦାନର ଶେଷ ଘଣ୍ଟାରେ ଆସି ଭୋଟ ଦେବେ ।
ବାଲେଶ୍ବରରେ ୨ ଲକ୍ଷ ୩୦ ହଜାର ୨୯୭ ଏବଂ ତିର୍ତ୍ତୋଲରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥର ବୁଥ୍ ସଂଖ୍ୟା ବଢାଯାଇଛି । ବାଲେଶ୍ବର ସଦରରେ ୩୪୬ ଏବଂ ତିର୍ତ୍ତୋଲରେ ୩୭୩ ବୁଥ୍ ରେ ମତଦାନ ହେଉଛି । ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ମତଦାତା ଭୋଟ ଦେବେ। ଗୋଲେଇ ଭିତରେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରି ଭୋଟର ଠିଆ ହେବେ । ସୁରୁଖୁରୁରେ ମତଦାନ ଲାଗି ୮ଶହ ଆଶା କର୍ମୀ ଏବଂ ୮ଶହ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି ।