ନ୍ୟୁଜ୍ରାଜନୀତିରାଜ୍ୟସ୍ପେଶାଲ୍ ରିପୋର୍ଟ

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ

ସତ୍ୟଶିଖା (ଭୁବନେଶ୍ୱର) ୩/୧୧/୨୦୨୦ : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଆରମ୍ଭ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟଗ୍ରହଣ। କୋଭିଡ୍  କଟକଣା ମଧ୍ୟରେ ଉଭୟ ଆସନରେ ଉପନିର୍ବାଚନ ଭୋଟ ଗ୍ରହଣ ହେଉଛି । ଭୋଟରମାନେ ଗ୍ଲୋଭସ ପିନ୍ଧି ଇଭିଏମ ବଟନ୍ ଦବାଇ ନିଜ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବେ । ବୁଥ୍  ଭିତରକୁ ଯିବା ପୂର୍ବରୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ଯଦି ଭୋଟରଙ୍କ ଦେହର ତାପମାତ୍ରା ଅଧିକ ରୁହେ ତେବେ ତାଙ୍କୁ ଏକ କୁପନ୍ ଦିଆଯିବ। ସେ ମତଦାନର ଶେଷ ଘଣ୍ଟାରେ ଆସି ଭୋଟ ଦେବେ ।

ବାଲେଶ୍ବରରେ ୨ ଲକ୍ଷ ୩୦ ହଜାର ୨୯୭ ଏବଂ ତିର୍ତ୍ତୋଲରେ ୨ ଲକ୍ଷ ୩୭ ହଜାର ୨୮୨ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥର ବୁଥ୍ ସଂଖ୍ୟା ବଢାଯାଇଛି । ବାଲେଶ୍ବର ସଦରରେ ୩୪୬ ଏବଂ ତିର୍ତ୍ତୋଲରେ ୩୭୩ ବୁଥ୍ ରେ ମତଦାନ ହେଉଛି । ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ମତଦାତା ଭୋଟ ଦେବେ। ଗୋଲେଇ ଭିତରେ ୬ ଫୁଟ ସାମାଜିକ ଦୂରତା ରକ୍ଷା କରି ଭୋଟର ଠିଆ ହେବେ । ସୁରୁଖୁରୁରେ ମତଦାନ ଲାଗି ୮ଶହ ଆଶା କର୍ମୀ ଏବଂ ୮ଶହ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି ।ମତଦାନ ପାଇଁ ଭୋଟରମାନେ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ । ୧୧ଟି ପରିଚୟପତ୍ର ମଧ୍ୟରୁ  କୌଣସି ଗୋଟିଏ ନେଇ ପାରିବେ । ବାଲେଶ୍ୱରରେ ୮୬ ଟି ଏବଂ ତିର୍ତ୍ତୋଲରେ ୧୫୫ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଅବାଧ ନିର୍ବାଚନ ଲାଗି ୩୫ଶହ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ସୁରକ୍ଷା ବ୍ୟବସ୍ଥା ପାଇଁ ୯୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସର ନିୟୋଜିତ ହୋଇଛନ୍ତି ।ସେହିପରି ଭୋଟିଂ ଆରମ୍ଭ ହେବା ପୂର୍ବରୁ ୫ ରାଉଣ୍ଡର ମକ୍  ପୋଲ କରାଯାଇଥିଲା । ଇଭିଏମରେ ଥିବା ପ୍ରତି ପ୍ରାର୍ଥୀଙ୍କ ପାଇଁ ୫ ରାଉଣ୍ଡ ମକ୍  ପୋଲ୍  କରାଯାଇଥିଲା । ସବୁ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ୫ ରାଉଣ୍ଡ ଲେଖାଏଁ ମକ୍  ପୋଲ୍  କରାଯାଇଥିଲା । ଏହି ଏହି ମକ୍  ପୋଲ୍ ର ଚିରକୁଟିକୁ ନେଇ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣତି କରାଯାଇଥିଲା । ଏହାପରେ ପ୍ରକୃତ ଭୋଟିଂ ପ୍ରକ୍ରିୟା ପାଇଁ ସବୁ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିତରେ ଇଭିଏମ୍ ସିଲ୍ କରାଯାଇଛି । ଭୋଟଦାନ ପ୍ରକ୍ରିୟା ପୂର୍ବରୁ ଏହି ମକ୍  ପୋଲ୍  କରାଯାଇଥାଏ ।

Show More
Back to top button