ନ୍ୟୁଜ୍ରାଜ୍ୟ

ବଳଙ୍ଗା ଥାନା ବିସ୍ଫୋରଣ ଘଟଣା:ଏସ୍ଆ‌ଇ ନିଲମ୍ବିତ

ସତ୍ୟଶିଖା( କୋଣାର୍କ )୨୯.୦୯ .୨୦୨୧:: ପୁରୀ ଜିଲ୍ଲା ବଳଙ୍ଗା ଥାନାର ମାଲଖାନା ବିସ୍ଫୋରଣ ଘଟଣାରେ ବଳଙ୍ଗା ଥାନା ଏସ୍ଆଇ ତଅପୋଇ ନାୟକଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଯୋଗ ପୁରୀ ଏସ୍‌ପି କନୱର ବିଶାଲ ସିଂ ତାଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି। ବଳଙ୍ଗା ଥାନା ମାଲଖାନାରେ ଦାୟିତ୍ୱରେ ଏସ୍ଆ‌ଇ ତଅପୋଇ ନାୟକ ଥିଲେ।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ବଳଙ୍ଗା ଥାନାର ମାଲଖାନାରେ ବିସ୍ଫୋରଣ ହୋଇଥିଲା। ଜବତ ହୋଇଥିବା ବିସ୍ଫୋରକ ଫୁଟି ଥାନାର ଛାତ ଉଡ଼ିଯାଇଥିଲା। ସୌଭାଗ୍ୟବଶତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ବିସ୍ଫୋରଣରେ ଥାନାଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଅନେକ କାଗଜପତ୍ର ଓ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ବିସ୍ଫୋରଣ ସମୟରେ ଥାନାରେ ଅନ୍ୟ କୌଣସି କର୍ମଚାରୀ ନ ଥିଲେ।

ଗତକାଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ପୁରୀ ଏସପି କନୱର ବିଶାଲ ସିଂ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଏହାପରେ ଆଜି ବଳଙ୍ଗା ଥାନା ଏସ୍ଆଇଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛନ୍ତି ଏସ୍‌ପି ।

Show More
Back to top button