ସତ୍ୟଶିଖା (ଭୁବନେଶ୍ୱର ) ୨୬.୦୨.୨୦୨୩ : ବାଲାକୋଟ ଏୟାର ଷ୍ଟ୍ରାଇକକୁ ପୁରିଲା ୪ ବର୍ଷ । ୨୦୧୯ ମସିହା ଆଜିର ଦିନରେ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ । ପାକିସ୍ତାନ ମାଟିରେ ପଶି ଆତଙ୍କବାଦୀଙ୍କ ଅଡ୍ଡାକୁ ଧ୍ୱସ କରିଥିଲେ ଭାରତୀୟ ବାୟୁ ବୀର । ବିଶ୍ବ ଦେଖିଥିଲା ଭାରତୀୟ ବାୟୁସେନାର ସୌର୍ଯ୍ୟ ଓ ସାମର୍ଥ୍ୟକୁ । ଟପ୍ ସିକ୍ରେଟ୍ ଥିଲା ଭାରତର ଏହି ଏୟାରଷ୍ଟ୍ରାଇକ୍ ଅପରେସନ । ୨୦୧୯ ଫେବ୍ରୁଆରୀ ୧୪ରେ ପୁଲୱାମା ଆକ୍ରମଣ ହୋଇଥିବା ବେଳେ ଏଥିରେ ପ୍ରାଣ ହରାଇଥିଲେ ୪୦ ଜଣ ସିଆରପିଏଫ ଯବାନ ।
ତେବେ ଏହାର ଠିକ୍ ୧୨ ଦିନ ପରେ ୨୬ ଫେବ୍ରୁଆରୀରେ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା ବାୟୁସେନା । ଯେଉଁଥିରେ ସାମିଲ ଥିଲେ ଭାରତର ସର୍ବଶ୍ରେଷ୍ଠ ସୁଖୋଇ, ମିରାଜ, ଜାଗୁଆର ଭଳି ଲଢୁଆ ବିମାନ । ଭୟଙ୍କର ଆକ୍ରମଣ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରିବାରେ ସଫଳ ହୋଇଥିଲେ ଭାରତୀୟ ବାୟୁ ବୀର । କିନ୍ତୁ ଏହାର ଟେର ପାଇ ନଥିଲା ପାକିସ୍ତାନ । ଏହି ଏୟାର ଷ୍ଟ୍ରାଇକ୍ କରି ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଥିଲା ଭାରତ । ଆତଙ୍କବାଦୀଙ୍କୁ ଢାଲ କରି ଆକ୍ରମଣ କଲେ ପାକିସ୍ତାନ ମାଟିରେ ପଶି ଆତଙ୍କବାଦୀଙ୍କୁ ସଫା କରାଯିବ ବୋଲି ମିଳିଥିଲା କଡ଼ା ଜବାବ ।