

ଭଦ୍ରକ : ଲଘୁଚାପ ଜନିତ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଏବେ ସେଠାରେ ୧୭.୯୩ ମିଟର ଉପରେ ଜଳ ପ୍ରବାହିତ ହେଉଛି। ହେଲେ ସକାଳ ୭ଟା ମଧ୍ୟରେ ସେଠାରେ ୧୭.୭୧ ମିଟରରେ ଜଳ ପ୍ରବାହିତ ହେଉଥିଲା। ବୈତରଣୀରେ ବନ୍ୟା ଆସିଲେ ମୁଖ୍ୟତଃ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ବହୁ ପଞ୍ଚାୟତ ଜଳମଗ୍ନ ହୋଇଯାଇଥାଏ। ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଆଜି ବି ଅନେକ ସ୍ଥାନରେ ବର୍ଷା ହେଉଛି। ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିଛି। ଆଜି ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ କରାଯାଇଛି।






