ନ୍ୟୁଜ୍

ଜାମିନ୍ ନାମଞ୍ଜୁର, ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଜଗନ୍ନାଥ ପ୍ରଧାନ ।

ସତ୍ୟଶିଖା :୦୪/୦୭/୨୦୨୫: ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆତ୍ମସମର୍ପଣ ପରେ ଗୁରୁବାର ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା କମିସନରେଟ ପୋଲିସ । ଭୁବନେଶ୍ବର କୋର୍ଟରେ ହାଜର ହେଲା ପରେ ଜାମିନ ନାମଞ୍ଜୁର ହେବାରୁ ଜଗନ୍ନାଥ ପ୍ରଧାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି । ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ପ୍ରାଥମିକ ତଦନ୍ତ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାରେ ମୋଟ ଗିରଫ ସଂଖ୍ୟା ୬ରେ ପହଞ୍ଚିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଛି ପୋଲିସ । ଦଫା ୩୩୩, ୧୨୧(୧), ୧୨୧(୨), ୩୫୧(୨), ୬୨ ଓ ୩୦୪ରେ ମାମଲା ରୁଜୁ କରାଯାଇଛି । ଗୁରୁବାର ରାତିରେ ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ । ଆତ୍ମସମର୍ପଣ କଲା ପରେ କମିଶନରେଟ ପୋଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା । ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଏହା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍‌ପିଟାଲ ନେଇଥିଲା । ସେଠାରେ ଜଗନ୍ନାଥ ପ୍ରଧାନଙ୍କୁ ଦୁଇ ଜଣ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶେଷରେ ଡାକ୍ତରଖାନାରୁ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କର ଜାମିନକୁ ନାମଞ୍ଜୁର କରିଦେବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ଯାଇଛନ୍ତି ଜଗନ୍ନାଥ ପ୍ରଧାନ । ସେପଟେ ଜଗନ୍ନାଥ ପ୍ରଧାନ ଜେଲ୍ ଯିବା ପରେ ରାଜରାସ୍ତାରେ ସମର୍ଥକଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ସମର୍ଥକମାନଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଡିସିପିଙ୍କ କାର୍ଯ୍ୟାଳୟ ଓ ଝାରପଡ଼ା ଜେଲ୍‌ ସାମ୍ନାରେ ସମର୍ଥକମାନେ ବିରୋଧ କରିବା ସହ ଜୋରଦାର ହୋହଲ୍ଲା କରିଛନ୍ତି । ଯଦି ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି, ତେବେ ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁ ମଧ୍ୟ ଗିରଫ ହେବା ଦରକାର ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରିବାର ଥିଲା । ତଦନ୍ତରେ ସେ ଯଦି ଅଭିଯୁକ୍ତ ପ୍ରମାଣିତ ହୋଇଥାନ୍ତେ ଗିରଫ କରିଥିଲେ କୌଣସି ଆପତ୍ତି ନଥିଲା ବୋଲି କହିଛନ୍ତି କିଛି ସମର୍ଥକ ।

Show More
Back to top button