ସତ୍ୟଶିଖା ୦୭ .୦୮ .୨୦୨୦ : ଆଇସିସିର ସର୍ବଶକ୍ତିସଂପନ୍ନ ବୋର୍ଡ ବୈଠକ ଆଜି ବସିବ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯିବ । କୋଭିଡ୍-୧୯ ମୁକାବିଲା ଓ ନିରାକରଣ ମଧ୍ୟ ଆଲୋଚନାର ଅନ୍ୟତମ ବିଷୟ ବସ୍ତୁ ରହିବ। ବୋର୍ଡ ସଦସ୍ୟଙ୍କ ସହ ଏହି ଅନଲାଇନ୍ ବୈଠକରେ ବିସିସିଆଇ ଓ କ୍ରିକେଟ୍ ଅଷ୍ଟ୍ରେଲିଆର ବରିଷ୍ଠ ଅଧିକାରୀ ମଧ୍ୟ ଯୋଗଦେବେ। ଉଭୟ ବୋର୍ଡର ମୁଖ୍ୟମାନେ ୨୦୨୧ ଓ ୨୦୨୨ ମସିହାରେ ଆୟୋଜିତ ହେବାକୁ ଥିବା ଦୁଇଟି ଟ୍ୱେଣ୍ଟି-୨୦ ବିଶ୍ୱକପର ଆୟୋଜନ ନେଇ ନିଜ ନିଜର ମତ ରଖିବେ। ଅଷ୍ଟ୍ରେଲିଆ ପ୍ରକୃତରେ ୨୦୨୦ ଟ୍ୱେଣ୍ଟି-୨୦ ବିଶ୍ୱକପର ଆୟୋଜକ ଥିଲା। ତେବେ କୋଭିଡ୍-୧୯ ସଙ୍କଟ ପାଇଁ ଏହାକୁ ୨୦୨୧ ମସିହାକୁ ସ୍ଥଗିତ କରିଦିଆଯାଇଛି ।
ସେହିଭଳି ଭାରତ ଆୟୋଜକ ଥିବା ୨୦୨୧ ବିଶ୍ୱକପକୁ ୨୦୨୨କୁ ଘୁଞ୍ଚାଇ ଦିଆଯାଇଛି । ହେଲେ ଅଷ୍ଟ୍ରେଲିଆ ୨୦୨୧ ବିଶ୍ୱକପ୍ ଆୟୋଜନ କରିବ ନା ଭାରତ ପୂର୍ବଭଳି ୨୦୨୧ ବିଶ୍ୱକପ୍ ଆୟୋଜନ କରି ଅଷ୍ଟ୍ରେଲିଆ ଭାଗରେ ୨୦୨୨ ବିଶ୍ୱକପ୍ ପଡ଼ିବ, ସେ ନେଇ ଏ ପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଶୁକ୍ରବାରର ବୈଠକରେ ଏହି ଦୁଇ ବିଶ୍ୱକପ୍ର ଅଦଳବଦଳ ନେଇ ବିସିସିଆଇ ଓ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟରେ ବିଚାରବିମର୍ଶ ହେବ। ବିସିସିଆଇ ପକ୍ଷରୁ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହ ବୈଠକରେ ଯୋଗଦେବେ। ସେହିଭଳି ଏର୍ଲ ଏଡିଙ୍ଗ୍ସ ଓ ନିକ ହକଲି କ୍ରିକେଟ୍ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିବେ। ଅଷ୍ଟ୍ରେଲିଆ ଆସନ୍ତାବର୍ଷର ଟ୍ୱେଣ୍ଟି-୨୦ ବିଶ୍ୱକପକୁ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛି ।
ତେବେ ବିସିସିଆଇ ରାଜି ନଥିବା ଜଣାପଡ଼ିଛି। କାରଣ ଭାରତରେ ୨୦୨୩ ଦିନିକିଆ ବିଶ୍ୱକପ୍ ଆୟୋଜନ ହେବାର ଅଛି। ଏଣୁ ୨୦୨୨ରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଆୟୋଜନ କଲେ, ରାଜସ୍ଵ ସଂଗ୍ରହ ଦୃଷ୍ଟିରୁ ଦିନିକିଆ ବିଶ୍ୱକପ୍ ପ୍ରଭାବିତ ହୋଇପାରେ ବୋଲି ବିସିସିଆଇ ଆଶଙ୍କା କରୁଛି। ନ୍ୟୁଜିଲାଣ୍ଡରେ ଆସନ୍ତାବର୍ଷ ଆୟୋଜିତ ହେବାକୁ ଥିବା ଏକଦିବସୀୟ ମହିଳା ବିଶ୍ୱକପ୍ ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ ବୋଲି ଆଇସିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପୂର୍ବ ନିର୍ଧାରିତ ସୂଚୀ ଅନୁସାରେ ଆସନ୍ତାବର୍ଷ ଫେବ୍ରୁଆରି-ମାର୍ଚରେ ମହିଳା ଏକଦିବସୀୟ ବିଶ୍ୱକପ୍ ଆୟୋଜନକୁ ସବୁଜ ସଙ୍କେତ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।