ଅପରାଧନ୍ୟୁଜ୍ରାଜ୍ୟ

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କୋଭିଡ୍ ହସ୍ପିଟାଲରେ

ସତ୍ୟଶିଖା ୧୨/୦୧/୨୦୨୧ : ସମ୍ବଲପୁର ଭିମ୍‌ସାର କୋଭିଡ୍‌ ହସ୍ପିଟାଲ ପରିସରରେ ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରବିବାର ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଡାକ୍ତରଖାନା କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିବା ଉକ୍ତ ରୋଗୀଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ ।

ଘଟଣା ସମ୍ପର୍କରେ ବୁର୍ଲା ଥାନାଧିକାରୀ ବି.ବି.ଭୋଇ କହିଛନ୍ତି ଯେ, ଉକ୍ତ ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ, ଡା.ଗୌରହରି ପ୍ରଧାନଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଛି ।

ସୂଚନା ଅନୁସାରେ, ଭିମ୍‌ସାର କୋଭିଡ୍‌ ହସ୍ପିଟାଲର ଚତୁର୍ଥ ୟୁନିଟ୍‌ରେ କଳାହାଣ୍ଡି ଜିଲ୍ଲାର ଜଣେ ମହିଳା ରୋଗୀ ଚିକିତ୍ସିତ ହୋଇଥିଲେ । ଏହି ୟୁନିଟ୍‌ରେ ଝାରସୁଗୁଡ଼ା ଜିଲ୍ଲାର ଜଣେ ଯୁବକଙ୍କର ମଧ୍ୟ ଚିକିତ୍ସା ଚାଲିଥିଲା । ତେବେ ରବିବାର ବିଳମ୍ବିତ ରାତିରେ ଉକ୍ତ ମହିଳା ରୋଗୀ ବେଡ୍‌ରେ ଶୋଇଥିବା ସମୟରେ ହଠାତ୍‌ ଝାରସୁଗୁଡ଼ାର ଉକ୍ତ ଯୁବକ ସେଠାରେ ପହଞ୍ଚି ମହିଳାଙ୍କ ଶାଢ଼ୀ ଟଣାଓଟରା କରିବା ଦୁଷ୍କର୍ମ ଉଦ୍ୟମ କରିଥିଲେ । କେହି କିଛି ବୁଝିବା ପୂର୍ବରୁ କଥା ବେଶ୍‌ ଆଗକୁ ବଢ଼ି ଯାଇଥିଲା । ମହିଳାଙ୍କ ଚିତ୍କାର ଶୁଣି ଡ୍ୟୁଟିରେ ଥିବା କର୍ମଚାରୀ ସେଠାରେ ପହଞ୍ଚି ଉକ୍ତ ଯୁବକକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ତେବେ ତାଙ୍କ ମାନସିକ ଅବସ୍ଥା ସ୍ଥିର ନଥିବାରୁ ତାଙ୍କୁ ବେଡ୍‌ରେ ବାନ୍ଧି ରଖିବା ସହ ନିଶ୍ଚେତକ ଦେଇ ଶୁଆଇ ଦିଆଯାଇଥିଲା ।

ରବିବାର ରାତିର ଘଟଣା ପରେ କୋଭିଡ୍‌ ହସ୍ପିଟାଲ ପରିସରରେ ମହିଳା ରୋଗୀ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି । ଗୋଟିଏ ପଟେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କ ମାନସିକ ଅବସ୍ଥା ସ୍ଥିର ନଥିବା ଦର୍ଶାଇ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ମଧ୍ୟ ଅଭିଯୋଗ ଆସିଛି । ସେପଟେ ହସ୍ପିଟାଲର ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଓ ସେତେବେଳେ ଡ୍ୟୁଟିରେ ଥିବା ଆଟେଣ୍ଡାଣ୍ଟ, ନର୍ସ କ’ଣ କରୁଥିଲେ ତାହାର ମଧ୍ୟ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ଅନେକ ଦାବି କରିଛନ୍ତି ।

Show More
Back to top button