ସତ୍ୟଶିଖା ( ସମ୍ବଲପୁର ) ୨୨ . ୦୮.୨୦୨୦ : ରାତି ପାହିଲେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ । ଏହି ଦିନ ପୂରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠେ । ଏହି ଅବସରରେ ନୂଆଁଖାଇ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ଶୋଭାଯାତ୍ରା ସହ ଦେବାଦେବୀଙ୍କ ମନ୍ଦିରକୁ ଯାଇଥାଏ । ନୂଆଁଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ ଭୋଗ । ପୂର୍ବ ନୀତି ନିର୍ଘଂଟ ଅନୁଯାୟୀ ସକାଳ ୯.୩୫ରୁ ୯ଟା ୫୦ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ପରମ୍ପରା ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯିବା ପରେ ପରିବାରର ସଦସ୍ୟମାନେ ଏକାଠି ହୋଇ ନୂଆ ଖାଇଥାନ୍ତି । କିନ୍ତୁ ଚଳିତ ବର୍ଷ ନିରାଡମ୍ବର ଭାବେ ପାଳିତ ହେବନି ଏହି ପର୍ବ। ଏମିତିକି ଇଷ୍ଟ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେନି ସାଧାରଣ ଲୋକ । କରୋନା ମହାମାରୀ ଯୋଗୁଁ କଟକଣା ରହିଥିବାରୁ ମନ୍ଦିରକୁ ସାଧାରଣ ଲୋକଙ୍କୁ ଅନୁମତି ନାହିଁ । କେବଳ ସେବାୟତମାନେ ଧାର୍ଯ୍ୟ ଲଗ୍ନ ଅନୁସାରେ ଇଷ୍ଟ ଦେବୀଙ୍କୁ ନବାନ୍ନ ଲାଗି କରାଇବେ ।